spot_img

Latest Posts

ଉତ୍ତରାଖଣ୍ଡରେ ହିମସ୍ଖଳନ, ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଡେରାଡୁନ୍: ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ । ଚମେଲି ଜିଲ୍ଲାର ଯୋଶୀମଠରେ ବରଫ ପାହାଡ଼ ଧସି ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ଜଳ ପ୍ରଳୟରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଯାବତ୍ ପ୍ରାୟ ୧୭୦ରୁ ଅଧିକ ଲୋକ ଏବେବି ନିଖୋଜ ଥିବା ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ ସୋମବାର ଦିନ ପୁଣିଥରେ ତପୋବନ ସୁଡଙ୍ଗ ନିକଟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ଉଦ୍ଧାର କାର୍ଯ୍ୟରେ ସେନାର ଇଞ୍ଜିନିୟର ମଧ୍ୟ ମୁତୟନ ହୋଇଛି । ଚମେଲି ପୋଲିସ ଅନୁସାରେ ଏଯାବତ୍ ୧୪ ଜଣଙ୍କର ମୃତଦୈହ ଉଦ୍ଧାର କରାଯାଇଛି । ଏହାବ୍ୟତୀତତ ସୁଡଙ୍ଗ ମଧ୍ୟରୁ ମୋଟ୍ ୧୫ ଜଣଙ୍କୁ ରେସ୍କ୍ୟୁ କରାଯାଇଛି ।

ଗଭୀର ଖାଇ ଭିତରେ ଫସିଥିବା ଲୋକଙ୍କୁ ଠାବ କରି ରସି ସାହାଯ୍ୟରେ ସେମାନଙ୍କୁ ବାହାର କରାଯାଇଛି। ଏହି ସୁଡ଼ଙ୍ଗରେ ଫସିଥିବା ୧୫ ଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ବନ୍ୟା ବିପର୍ଯ୍ୟୟ ତପୋବନ ଜଳ ବିଦ୍ୟୁତ ପରିଯୋଜନାକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଆଜି ସକାଳୁ ଶ୍ରମିକମାନେ ସୁଡ଼ଙ୍ଗରେ କାମ ଆରମ୍ଭ କରୁଥିଲେ ଏବଂ ଅଚାନକ ବନ୍ୟା ମାଡ଼ି ଆସିବାରୁ ନଦୀ ପାଣି ସାଙ୍ଗକୁ କାଦୁଅରେ ଟନେଲ ଭର୍ତ୍ତି ହୋଇଯାଇଥିଲା। ପୋତି ହୋଇ ରହିଥିବା ଟନେଲ୍‌ରେ ଫସିଥିବା ଲୋକଙ୍କୁ ଠାବ କରିବା ବହୁତ ବଡ଼ ଚ୍ୟାଲେଂଜ ଥିଲା ବୋଲି ଉଦ୍ଧାରକାରୀ ଦଳର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ।

ଏହି ପ୍ରଳୟରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଅନୁମାନ କରାଯାଉଥିବା ବେଳେ ମୃତକଙ୍କ ପରିବାରକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷର କ୍ଷତିପୂରଣ ଘୋଷଣା କରାଯାଇଛି । ମୃତକଙ୍କ ମଧ୍ୟରେ ଏନଟିପିସିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଅଧିକ ଥିବା ଆଶଙ୍କା କରିଛି ପ୍ରଶାସନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସମସ୍ତ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷର କ୍ଷତିପୂରଣ ଘୋଷଣା କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Latest Posts

Don't Miss