spot_img

Latest Posts

ସରିଲା ଶ୍ରୀଜିଉଙ୍କର ପହଣ୍ଡି କାର୍ଯ୍ୟକ୍ରମ, ବାଟରେ ମାଉସୀ ପାଖରୁ ପୋଡ଼ ପିଠା ଖାଇ ଯିବେ ଶ୍ରୀମନ୍ଦିର

ପୁରୀ: ସରିଲା ଶ୍ରୀଜିଉଙ୍କର  ନବଦିନାତ୍ମକ ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡିବେ ଶ୍ରୀଜିଉ। ଏଥିପାଇଁ ସରିଛି ପହଣ୍ଡି ନୀତିକାନ୍ତି। ସକାଳଧୂପ ପୂଜା ପରେ ମଙ୍ଗଳାର୍ପଣ ହୋଇଥିଲା।

ଏହା ପରେ ୭ ଟା ୪୦ ରେ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ରଥ ଉପରକୁ ଅଣାଯାଇଥିଲା। ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା।

ବଳଭଦ୍ରଙ୍କ ପରେ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଗୁଣ୍ଡିଚା ମନ୍ଦିରରୁ ରଥକୁ ପହଣ୍ଡି ହୋଇ ବାହୁଡ଼ି ଆସିଥିଲେ ଜଗତର ନାଥ କାଳିଆ ସାଆନ୍ତ ଭାବ ବିନୋଦିଆ କାଳିଆ ଠାକୁର। ଏବେ ତିନି ରଥରେ ବିରାଜମାନ କରିସାରିଛନ୍ତି ଶ୍ରୀଜିଉ। ରଥ ଉପରେ ନୀତିକାନ୍ତି ରଥପୂଜା ସରିବା ପରେ ରାଜନଅଁରରୁ ରଥକୁ ଛେରାପହଁରା ପାଇଁ ଆସିବେ ରାଜା।

ଏହାପରେ ଛେରା ପହଁରା ପରେ ଚାରମାଳ ବନ୍ଧା ଏବଂ ଘୋଡ଼ା ଜୋଖା ହେବା ପରେ ଆରମ୍ଭ ହେବ ରଥ ଟଣା କାର୍ଯ୍ୟକ୍ରମ। ସେପଟେ ବାଟରେ ମାଉସୀ ଘରେ ମାଉସୀ ପରସି ଦେବେ ସ୍ନେହର ପୋଡ଼ ପିଠା। କାଳିଆକୁ ଭାରି ପସନ୍ଦ ପୋଡ଼ ପିଠା।

ସେଥିପାଇଁ ତ ମାଉସୀ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନରେ ତିଆରି କରିଛି କାଳିଆ ପାଇଁ ପୋଡ଼ ପିଠା। ଫେରିବା ବାଟରେ ଶ୍ରୀଜିଉଙ୍କୁ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଲାଗି ହେବ।

Latest Posts

Don't Miss