spot_img

Latest Posts

ଆସାମ-ମିଜୋରାମ ସୀମା ବିବାଦରେ ୫ ଯବାନ ସହିଦ

ନୂଆଦିଲ୍ଲୀ: ଆସାମ-ମିଜୋରାମ ସୀମାରେ ତୁମୁଳ ସଂଘର୍ଷ। ସଂଘର୍ଷରେ ଆସାମ ପୋଲିସର ୫ ଜଣ ଅଫିସରଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉତ୍ତେଜନା ପ୍ରବଣ ଅଞ୍ଚଳରେ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି। ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମ ଓ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱର୍ମା କହିଛନ୍ତି, ଆସାମ ପୋଲିସ ବିରୋଧରେ ମିଜୋରାମ ପୋଲିସ ଏପରିକି ହାଲୁକା ମେସିନଗନର ବ୍ୟବହାର କରିବା ଯୋଗୁ ସ୍ଥିତି ବିଗିଡିଛି।

ସେପଟେ ଆସାମର କାଚର ଜିଲ୍ଲା ଏସପିଙ୍କ ଦେହରେ ଗୁଳି ଲାଗିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଲୈଲାପୁରରେ ସଂରକ୍ଷିତ ଜଙ୍ଗଲକୁ ନଷ୍ଟ କରି ମିଜୋରାମ ଏକ ସଶସ୍ତ୍ର ଶିବିର ନିର୍ମାଣ କରିବାକୁ ନେଇ ଏହି ସଂଘର୍ଷ ଉପୁଜିଛି। ଶିବିର ପ୍ରତିଷ୍ଠାକୁ ଆସାମ ପୋଲିସ ବିରୋଧ କରିବା ପରେ ମିଜୋରାମ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ବୋଲି ଆସାମ ସରକାର ଅଭିଯୋଗ କରିଛନ୍ତି। ସେପଟେ ଆସାମ ବିରୋଧରେ ପାଲଟା ଅଭିଯୋଗ କରିଛି ମିଜୋରାମ। କୋଲାସିବଠାରେ ଏକ ପୋଲିସ ଶିବିର ଉପରେ ଆସାମ ପ୍ରଥମେ ଆକ୍ରମଣ କରିଛି ବୋଲି ମିଜୋରାମ ଅଭିଯୋଗ କରିଛି।

ଶିଲଂରେ ସମସ୍ତ ଉତ୍ତରପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଆଲୋଚନା କରିବାର ଦୁଇ ଦିନ ପରେ ଏହି ସଂଘର୍ଷ ଚିନ୍ତାର କାରଣ ହୋଇଛି। ସଂଘର୍ଷକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ପରସ୍ପର ବିରୋଧରେ ଘଟୁଥିବା ହିଂସାକୁ ନେଇ ଟ୍ୱିଟ ଯୁଦ୍ଧ ଚଳାଉଥିଲେ। ଆସାମର କାଚର, ହେଲକାଣ୍ଡି ଓ କରିମଗଞ୍ଜ ଜିଲ୍ଲା ସହ ମିଜୋରାମର ଆଇଜଲ, କୋଲାସିବ ଓ ମାମିତ ଜିଲ୍ଲାର ସୀମା ଲାଗିଛି। ଆସାମ ଓ ମିଜୋରାମ ମଧ୍ୟରେ ଆନ୍ତଃରାଜ୍ୟ ସୀମାର ଦୀର୍ଘତା ହେଉଛି ୧୬୪ କିଲୋମିଟର।

 

Latest Posts

Don't Miss