spot_img

Latest Posts

ଓଡିଶାର ମଣ୍ଡା ମଇଁଷିକୁ ଜାତୀୟ ମାନ୍ୟତା ପ୍ରାପ୍ତ

ଭୁବନେଶ୍ୱର: ଓଡ଼ିଶାର ମଣ୍ଡା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା। ବିରଳ ପ୍ରଜାତିର ଏହି ମଇଁଷି କେବଳ ଓଡ଼ିଶାରେ ହିଁ ଦେଖିବାକୁ ମିଳେ । ତେବେ ବର୍ତ୍ତମାନ ଏହି ମଇଁଷିକୁ ସାରା ଦେଶରେ ୯ବମ ବ୍ରିଡ ଭାବେ ଘୋଷଣା କରାଯାଇଛି । ମଣ୍ଡା ମଇଁଷି ଯାହାର ଏକ ସ୍ୱତନ୍ତ୍ର ବା ଅନନ୍ୟ ପ୍ରଜନ ପ୍ରକ୍ରିୟା ରହିଛି ଏହା କେବଳ ଓଡ଼ିଶାର କୋରାପୁଟରେ ହିଁ ଦେଖାଯାଏ । ଏହି ମଇଁଷିର ଦେହର ରଙ୍ଗ ସାଧାରଣତଃ ପାଉଁଶିଆ ଓ ଧୁସର ହୋଇଥାଏ।

ଓଡିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହି ମଇଁଷି ପ୍ରଜାତି ବୀଜାଣୁ ସଂପର୍କରେ ପ୍ରଥମେ ଚିହ୍ନଟ ଏବଂ ଅନୁଧ୍ୟାନ କରାଯାଇ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି)ର ମିଳିତ ସହଯୋଗରେ ତତ୍କାଳୀନ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପଦ ସେଠୀ ପ୍ରାଣୀ ବଂଶାବଳୀ ନିର୍ଦ୍ଦେଶକ ଡଃ. ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ସବିଶେଷ ସର୍ବେକ୍ଷଣ କରାଯାଇଥିଲା ଏବଂ ଏହି ପ୍ରକଳ୍ପର ଫଳାଫଳ ସଂକ୍ରାନ୍ତୀୟ ତଥ୍ୟ ଏନ୍‌.ବି.ଏ.ଜି.ଆରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ଏବଂ ମଣ୍ଡା ମଇଁଷି ବିରଳ ଏବଂ ଏହା କେବଳ ଓଡ଼ିଶାରେ ଦେଖାଯାଉଥିବାରୁ ଏହାକୁ ଜାତୀୟ ସ୍ୱୀକୃତି ଦେବାକୁ ଦାବି କରାଯାଇଥିଲା ।

ମଣ୍ଡା ମଇଁଷି ଜାତୀୟ ମାନ୍ୟତା ପାଇବା ସହିତ ଓଡିଶାର ଏହି ଅନନ୍ୟ ପ୍ରଜାତିର ପ୍ରାଣୀ ସମ୍ବଳକୁ ଭାରତ ସରକାର ତଥା ରାଜ୍ୟ ସରକାର ଏହାର ସଂରକ୍ଷଣ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣକରିବା ସହିତ ପ୍ରୟାସ ଜାରି ରଖିବେ । ନୂତନ ପ୍ରଜନନ ପ୍ରକ୍ରିୟା ବଳରେ ଏହି ପ୍ରଜାତିମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବା ସହିତ କ୍ଷୀର, ଦହି, ଘିଅ ଆଦି ଉତ୍ପାଦ ଦ୍ରବ୍ୟର ବିକ୍ରି ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ସୁଲଭ ଦରରେ ବଜାରରେ ବିକ୍ରି ଦ୍ୱାରା ଉକ୍ତ ଅଂଚଳବାସୀ ତଥା ଅଂଶୀଦାରମାନଙ୍କ ସ୍ୱଚ୍ଛଳ ଜୀବିକା ନିର୍ବାହ ଦିଗରେ ଏହା ଫଳପ୍ରଦ ହେବ।

Latest Posts

Don't Miss