spot_img

Latest Posts

ଦିନେ ସାପ କାମୁଡ଼ାର ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ମଞ୍ଜୁଳା ଏବେ ଖିଲିଖିଲି ହୋଇ ହସୁଛି…

କଟକ: ସାପ କାମୁଡ଼ାରେ ଗୁରୁତର ହୋଇପଡ଼ିଥିବା କୋମଳ ଶିଶୁ ମଞ୍ଜୁଳା ଏବେ ସୁସ୍ଥ ହୋଇଛି। ଯିଏ ଦିନେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲା ସେ ଆଜି ଖିଲିଖିଲି ହୋଇ ହସୁଛି। ନା ଆଖିରେ ଲୁହ ଅଛି ନା ହାତରେ ସେଇ ସାପ କାମୁଡ଼ାର ଯନ୍ତ୍ରଣା ଅଛି। ଯନ୍ତ୍ରଣା ଏବଂ ଲୁହନେଇ ଆସିଥିବା ନବରଙ୍ଗପୁର ଝିଅ ମଞ୍ଜୁଳା ଆସନ୍ତାକାଲି ଘରକୁ ଯିବ। ପ୍ରାଶାସନର ସହାୟତା ଏବଂ ଡାକ୍ତର ମାନଙ୍କର ପୂର୍ଣ୍ଣ ଚେଷ୍ଟା ପାଇଁ ଆଜି ମଞ୍ଜୁଳାର ମୁହଁରେ ପୁଣିଥରେ ହସ ଫେରି ଆସିଛି।

ଦୁଇଟି ଅପରେସନ ପରେ ମଞ୍ଜୁଳାର ହାତ ଭଲ ହୋଇଛି। ଆଗକୁ ଫିଜିଓ ଥେରାପି ଦରକାର ବୋଲି ଡାକ୍ତର କହିଛନ୍ତି। ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୂତି ନାୟକ ଏହି ସୂଚନା ଦେଇଛନ୍ତି। ତେବେ ସାପ କାମୁଡ଼ାରେ ସେ ମାସାଧିକ କାଳ ଯନ୍ତ୍ରଣାରେ ଛଟପଟ ହେବା ପରେ ଜୁଲାଇ ୧୪ରେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। କଟକରେ ତାର ସମସ୍ତ ଚିକିତ୍ସା ବିନା ମୂଲ୍ୟରେ କରାଯାଇଥିଲା। ନାଗ ସାପ ଚୋଟରେ ମଞ୍ଜୁଳାର ଡାହାଣ ହାତ ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା।

ଚିକିତ୍ସା ଅଭାବରୁ ଡାହାଣ ହାତ ପଚିବା ଆରମ୍ଭ କରିଥିଲା। ସାପ କାମୁଡ଼ିବା ପରେ ପରିବାର ଲୋକେ ତାକୁ ପ୍ରଥମେ ଉମରକୋଟ, ପରେ ନବରଙ୍ଗପୁର ଓ ତାପରେ କୋରାପୁଟ ମେଡିକାଲକୁ ନେଇଥିଲେ। ହେଲେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର। କିନ୍ତୁ ଅର୍ଥ ଅଭାବରୁ ମଞ୍ଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇପାରିନଥିଲେ। ସେବେଠୁ ଝିଅଟି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଝିଅ ଦୁଃଖକୁ ସହି ନ ପାରି ଆଖିରୁ ଲୁହ ଝରାଉଥିଲେ ତା’ ବାପାମା। ଗଣମାଧ୍ୟମରେ ଖବର ପ୍ରକାଶ ପରେ ଝିଅଟିର ଚିକିତ୍ସା ପାଇଁ ଅଣ୍ଟା ଭିଡ଼ିଥିଲା ପ୍ରଶାସନ। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଡିସଚାର୍ଜ ହେବେ।

Latest Posts

Don't Miss