ଆଶ୍ଚର୍ଯ୍ୟ ଲାଗିଲେ ବି ସତ୍ୟ: ଜଣେ ବ୍ୟକ୍ତିଙ୍କ ପେଟରେ ୪ ଇଞ୍ଚିଆ କଣ୍ଟା, ନଟ, ବୋଲ୍ଟ, ସ୍କ୍ରୁ, ଓ୍ବାସର…

ଲିଥୁଆନିଆ: ମଣିଷ ପେଟରୁ ବାହାରିଲା ପୁଳାପୁଳା କଣ୍ଟା, ନଟ, ବୋଲ୍ଟ, ସ୍କ୍ରୁ, ଛୁରୀ । ଆଶ୍ଚର୍ଯ୍ୟ ହେଲେ ବି ଘଟଣା ସତ୍ୟ । ଲିଥୁଆନିଆର ଜଣେ ବ୍ୟକ୍ତିଙ୍କ ପେଟରୁ ଏସବୁ ବାହାରିବା ପରେ ଡାକ୍ତର ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ । ପ୍ରାୟ ୧ କିଲୋଗ୍ରାମ ଲୁହା ବାହାରିବା ଖବର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଉକ୍ତ ବ୍ୟକ୍ତି ଜଣକ ଜଣେ ମଦ୍ୟପ ଥିଲେ । ତେବେ ତାଙ୍କୁ କୌଣସି ପ୍ରକାରେ ନିଶାରୁ ବିରତ କରାଯାଇପାରିଥିଲା । ମାତ୍ର ମଦ ଛାଡିବା ପରେ ପରେ ସେ ଏକ ଅଦ୍ଭୁତ କାର୍ଯ୍ୟ ଜାରି ରଖିଥିଲେ ।

ମାସେ ତଳୁ ସେ ଏକ ୪ ଇଞ୍ଚିଆ କଣ୍ଟା ସହ ପୁଳା ପୁଳା କଣ୍ଟା, ନଟ, ବୋଲ୍ଟ, ସ୍କ୍ରୁ, ଓ୍ବାସର, ଛୁରୀ ଆଦି ଖାଇଚାଲିଥିଲେ । ସେ ମାସକ ଭିତରେ ପ୍ରାୟ ୧ କିଲୋଗ୍ରାମ ଓଜନର ଲୁହା ସାମଗ୍ରୀ ଗର୍ଭସ୍ଥ କରିବା ପରେ ତାଙ୍କର ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ଏକ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । ଶେଷରେ କ୍ଲାଇପେଦା ୟୁନିଭର୍ସିଟି ହସ୍ପିଟାଲରେ ତାଙ୍କର ଅପରେସନ କରାଯାଇଥିଲା ।

ରୋଗୀଙ୍କ ପେଟରୁ ଏପରି ଜିନିଷ ପାଇ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ଏକ ବିରଳ ଘଟଣା ବୋଲି କହିଛନ୍ତି ସର୍ଜନ ସାରୁନାସ ଦାଇଲିଦେନାସ । ପେଟରୁ ଏସବୁକୁ ବାହାର କରିବା ଲାଗି ଡାକ୍ତରଙ୍କୁ ପ୍ରାୟ ୩ ଘଣ୍ଟା ଲାଗିଥିଲା । ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାଯାଇଛି । କିନ୍ତୁ ଏପରି ଘଟଣା କେବଳ ଉକ୍ତ ଦେଶରେ ନୁହେଁ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି  ।

Leave a Reply