ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲା। ଯୋଗୀ ସରକାରଙ୍କୁ ରିପୋର୍ଟ ମାଗିଲେ ସର୍ବୋଚ୍ଚ ଅଦାଲତ। ଅଭିଯୁକ୍ତ କିଏ, ବର୍ତ୍ତମାନ ସୁଦ୍ଧା କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେସମ୍ପର୍କରେ ସବିଶେଷ ତଥ୍ୟ ଦେବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜଣିକିଆ କମିଶନଙ୍କ ନେତୃତ୍ୱରେ ଏହି ଘଟଣାର ତଦନ୍ତ ଚାଲିଛି ବୋଲି କୋର୍ଟରେ ଉତ୍ତର ରଖିଛନ୍ତି ୟୁପି ସରକାର। ଆସନ୍ତାକାଲି ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଅଦାଲତ କହିଛନ୍ତି କୋର୍ଟ ନିଜ ଆଡୁ ମାମଲା ଦାଏର କରିନାହାନ୍ତି ବରଂ ଏହା ଏକ ଜନସ୍ୱାର୍ଥ ମାମଲା। ପ୍ରଧାନ ବିଚାରପତି ଏନଭି ରମନ୍ନା, ବିଚାରପତି ସୂର୍ଯ୍ୟକାନ୍ତ ଓ ହୀମା କୋହଲିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ଆଉ ଏକ ଲୋମହର୍ଷକ ଭିଡିଓ ପଦାକୁ ଆସିଛି। ଦ୍ରୁତ କାର୍ ଧକ୍କାରେ ନିରୀହ ଚାଷୀଙ୍କ ପ୍ରାଣ ଯିବା ଘଟଣା ଏହି ଭିଡିଓରେ ରହିଛି। କିଛି ଚାଷୀ ପତାକା ଧରି ପଦଯାତ୍ରା କରୁଥିବା ବେଳେ ସେମାନଙ୍କ ଉପରେ ଗାଡି ମାଡିଯାଇଥିଲାର ଦୃଶ୍ୟ ଏହି ଭିଡିଓରେ ରହିଛି।

ରବିବାର ଘଟିଥିବା ହିଂସାରେ ୪ କୃଷକଙ୍କ ସହିତ ମୋଟ ନଅ ଜଣଙ୍କ ମୃତ୍ୟୁ ହୋଇଥିଲା। କୃଷକ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ ଗାଡି ଚଢାଇ ହତ୍ୟା କରିଛନ୍ତି। କିନ୍ତୁ ମନ୍ତ୍ରୀ ଓ ତାଙ୍କ ପୁଅ ଏହାକୁ ଖଣ୍ଡନ କରିଛନ୍ତି। ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ଏପଟେ ଗତକାଲି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧି ମୃତକଙ୍କ ପରିବାରକୁ ଭେଟିଛନ୍ତି। ସେମାନଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ଆଶ୍ୱାସନା ଦେଇଛନ୍ତି।

