spot_img

Latest Posts

ବଢ଼ିଲା ଡିଜେଲ୍ ଦର, ଲିଟର ପିଛା ୨୫ ଟଙ୍କା ଅଧିକ ଦେବେ ବଲ୍କ କଷ୍ଟମର

ନୂଆଦିଲ୍ଲୀ: ୟୁକ୍ରେନ୍-ଋଷ ଯୁଦ୍ଧ ମଧ୍ୟରେ ଅଶୌଧିତ ତୈଳଦର ଆକାଶ ଛୁଆଁ ହୋଇଛି । ଯାହାର ପ୍ରଭାବେ ଏବେ ଭାରତ ଉପରେ ପଡ଼ିଛି । ଅଶୌଧିତ ତୈଳଦର ବଢ଼ିବା ପରେ ଡିଜେଲ୍ ମୂଲ୍ୟ ବୃଦ୍ଧି କରିଛନ୍ତି ତୈଳ ମାର୍କେଟିଂ କରୁଥିବା ବିଭିନ୍ନ କମ୍ପାନୀ । ବର୍ତ୍ତମାନ ବଲ୍କ କଷ୍ଟମରଙ୍କ ପାଇଁ ଡିଜେଲ ଲିଟର ପିଛା ୨୫ ଟଙ୍କା ଦାମ୍ ବୃଦ୍ଧି ପାଇଛି । ଏବେ ଡିଜେଲ୍ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବେ ବଲ୍କ କଷ୍ଟମର । ତେବେ ଆସନ୍ତୁ ଜାଣିବା ବଲ୍କ କଷ୍ଟମର କିଏ ଏବଂ ଏହାର ପ୍ରଭାବ ଲୋକଙ୍କ ଉପରେ କିଭଳି ପଡ଼ିବ…

ବଲ୍କ କଷ୍ଟମର କିଏ ?

ଅଧିକ ମାତ୍ରାରେ ତୈଳ କିଣୁଥିବା ଗ୍ରାହକଙ୍କୁ ବଲ୍କ କଷ୍ଟମର କୁହାଯାଏ । ପ୍ରତିରକ୍ଷା ପ୍ରତିଷ୍ଠାନ, ରେଲୱେ, ବିଭିନ୍ନ ପରିବହନ ନିଗମ, ପାୱାର ପ୍ଲାଣ୍ଟ, କେମିକାଲ୍ ପ୍ଲାଣ୍ଟ ଓ ଅନ୍ୟ ଶିଳ୍ପ କାରଖାନା ବଲ୍କ କଷ୍ଟମର ଅଟନ୍ତି । ଏହା ବ୍ୟତୀତ ବିମାନବନ୍ଦର, ମଲ୍ ଓ ଅନ୍ୟ ଶିଳ୍ପ ପ୍ରତିଷ୍ଠାନ ମଧ୍ୟ ବଲ୍କ କଷ୍ଟମର ।

ବଲ୍କ କଷ୍ଟମରଙ୍କ ପାଇଁ ଡିଜେଲ୍ ମୂଲ୍ୟ ବଢ଼ିବା ପରେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ । କାରଣ ଏସବୁ ପ୍ରତିଷ୍ଠାନ ଓ ସଂସ୍ଥା ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରିଥାନ୍ତି । ଡିଜେଲ ଦର ବଢ଼ିବା ଫଳରେ ସାମଗ୍ରୀ ଉତ୍ପାଦନ ଖର୍ଚ୍ଚ ସହ ପରିବହନ ଖର୍ଚ୍ଚ ବଢ଼ିଯିବ । ଫଳରେ ବର୍ଦ୍ଧିତ ଖର୍ଚ୍ଚର ବୋଝ ପଡ଼ିବ ସାଧାରଣ ଜନତାଙ୍କ ଉପରେ । ଅନ୍ୟ ଅର୍ଥରେ କହିବାକୁ ଗଲେ ଡିଜେଲ୍ ଦର ବୃଦ୍ଧି ଯୋଗୁଁ ଅନ୍ୟ ସାମଗ୍ରୀର ଦର ବଢ଼ିବ ।

Diesel Price Increase RS 25 Per Liter For Bulk Customers

ୟୁକ୍ରେନ୍ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳଦର ୪୦ ପ୍ରତିଶତ ଯାଏ ବୃଦ୍ଧି ପାଇଛି । ଅନ୍ଯପଟେ ଆମ ଦେଶରେ ୨୦୨୧ ନଭେମ୍ବର ୪ରୁ ପେଟ୍ରୋଲ ଓ ଡିଜେଲ୍ ଦାମ ଅପରିବର୍ତ୍ତିତ ରହିଛି । ଅଶୌଧିତ ତୈଳଦର ବଢ଼ୁଥିବାରୁ ତୈଳ କମ୍ପାନୀ କ୍ଷତି ସହୁଛନ୍ତି । ଏବେ ବଲ୍କ କଷ୍ଟମରଙ୍କ ପାଇଁ ଡିଜେଲ ଦର ବଢ଼ିଥିବା ବେଳେ ସାଧାରଣ ଲୋକ ଡିଜେଲ କିଣିବା ବେଳେ ପ୍ରଭାବିତ ହେବେ ନାହିଁ ।

ଅନ୍ୟପଟେ କୋଭିଡ୍ ପରେ ଇନ୍ଧନ ଚାହିଦା ମଧ୍ୟ ବଢ଼ିଛି । ବଲ୍କ କଷ୍ଟମର ତୈଳ କମ୍ପାନୀଗୁଡ଼ିକ ଠାରୁ ସିଧାସଳଖ ତେଲ କିଣିବା ପରିବର୍ତ୍ତେ ଖର୍ଚ୍ଚ ବଞ୍ଚାଇବାକୁ ପେଟ୍ରୋଲ ପମ୍ପରୁ ତେଲ କିଣୁଛନ୍ତି । ଯେଉଁଥି ପାଇଁ ତୈଳ କମ୍ପାନୀର ମଧ୍ୟ କ୍ଷତି ହେଉଛି । ଏବେ ବଲ୍କ କଷ୍ଟମରଙ୍କ ପାଇଁ ଲିଟର ପିଛା ୨୫ ଟଙ୍କା ଦର ବଢ଼ିଥିବା ବେଳେ ତୈଳ କମ୍ପାନୀ ଗୁଡ଼ିକ ଆହୁରି ଚିନ୍ତିତ ହୋଇ ପଡ଼ିଛନ୍ତି । କାରଣ ଦରବୃଦ୍ଧି ଯୋଗୁଁ ବଲ୍କ କଷ୍ଟମର ପେଟ୍ରୋଲ ପମ୍ପ ଉପରେ ଆହୁରି ଅଧିକ ନିର୍ଭର ହୋଇ ପଡ଼ିବେ ।

Diesel Price Increase RS 25 Per Liter For Bulk Customers

ରିପୋର୍ଟ ଅନୁସାରେ, ବଲ୍କ କଷ୍ଟମର ପେଟ୍ରୋଲ ପମ୍ପରୁ ତେଲ କିଣିବା ଯୋଗୁଁ ଘରୋଇ ତୈଳ କମ୍ପାନୀ ନାୟାରା ଏନର୍ଜି, ଜିଓ ବିପି, ସେଲ୍ ଭଳି ବିକ୍ରେତା ଅଧିକ କ୍ଷତି ସହିବେ । ୧୩୬ ଦିନ ହେଲା ଡିଜେଲ, ପେଟ୍ରୋଲ ଦର ବଦଳୁ ନଥିବାରୁ ଘରୋଇ ପେଟ୍ରୋଲ୍ ପମ୍ପ ବନ୍ଦ କରିବା ସ୍ଥିତିରେ ପହଞ୍ଚିଲେଣି ।

Latest Posts

Don't Miss