ଜୟପୁରବାସୀଙ୍କ ସ୍ୱପ୍ନ ହେବ ସାକାର, ୩୧ରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର: ପୂରଣ ହେବ ଜୟପୁରବାସୀଙ୍କ ସ୍ୱପ୍ନ । ଆସନ୍ତା ୩୧ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ପ୍ରଥମ ଉଡାଣ ଆରମ୍ଭ କରିବ ଇଣ୍ଡିଆ ୱାନ ଏୟାର। ଜୟପୁରକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏରୋଡ୍ରମ ମାନ୍ୟତା ମିଳିବା ପରେ ଏହା ହେବ ପ୍ରଥମ ଉଡାଣ । ଇଣ୍ଡିଆ ୱାନ ଏୟାର ମାତ୍ର ୯୯୯ ଟଙ୍କାରେ ପ୍ରଥମ ଉଡାଣ ଆରମ୍ଭ କରିବାକୁ ସୂଚନା ଦେଇଛି । କମ୍ପାନି ନିଜ ୱେବସାଇଟ ଜରିଆରେ ବୁକିଂ ଆରମ୍ଭ କରିଛି । ଦୁଇଦିନ ଯାଏ ଅଫରରେ କମ ଭଡ଼ା ରହିଛି । ୩୧ତାରିଖ ଦିନ ପୂର୍ବାହ୍ନ ୧୦.୩୦ରେ ମୁଖ୍ୟମନ୍ତ୍ରୀ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଭୁବନେଶ୍ୱରରୁ ୧୧.୩୫ରୁ ବାହାରି ଜୟପୁର ରେ ୧.୨୦ରେ ପହଂଚିବ । ଜୟପୁରରୁ ୧.୪୦ରେ ବାହାରି ବିଶାଖାପାଟଣାରେ ୨.୩୦ରେ ପହଂଚିବ । ସେଠାରୁ ୩.୦୦ରୁ ବାହାରି ଜୟପୁରରେ ୩.୫୦ରେ ପହଂଚିବ । ଜୟପୁରରୁ ୪.୦୫ରୁ ବାହାରି ୫.୫୦ରେ ଭୁବନେଶ୍ୱରରେ ପହଂଚିବ। ଏବେ ଗୋଟିଏ ଏୟାର କ୍ରାପ୍ଟ ଚାଲିବ। ଯାତ୍ରୀ ମାନଙ୍କପାଇଁ 2500ଟଙ୍କା ଭଡା ରହିବ। ଏୟାର କ୍ରାପ୍ଟରେ ସର୍ବାଧିକ ୯ ଜଣ ଯାତ୍ରୀ ଯାଇପାରିବେ ।

ଉଡ଼ାଣ ଦିବସର ଗୋଟିଏ ଦିନ ପୂର୍ବରୁ ଗତ ୨୦ ତାରିଖ ଦିନ ଜୟପୁରକୁ ଏରୋଡ୍ରମ ଅନୁମତି ଲାଇସେନ୍ସ ଦେଇଥିଲା ଡିଜିସିଏ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଏନେଇ ଟୁଇଟ କରି ସୂଚନା ଦେଇଥିଲେ। ତେବେ ବର୍ତ୍ତମାନ ଦୀର୍ଘ ଦିନର ଏହି ସ୍ୱପ୍ନରେ ଡେଣା ଲାଗିବାକୁ ଯାଉଛି।