spot_img

Latest Posts

ଓଡ଼ିଆ ଭାଷାରେ ଇଂଜିନିୟରିଂ ପାଠ୍ୟପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶା ଗସ୍ତର ଦିତ୍ୱୀୟ ଦିନରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଆ ଭାଷାରେ ଲିଖିତ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ, ବୈଷୟିକ ଶିକ୍ଷା ସଙ୍କଳନ ଓ ଇ-କୁମ୍ଭ ପୋର୍ଟାଲର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ମାତୃଭାଷାରେ ଶିକ୍ଷା ଦ୍ୱାରା ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ହେବ ଏବଂ ରାଷ୍ଟ୍ରର ବିକାଶ ନିମନ୍ତେ ସେମାନେ ଉତ୍ସର୍ଗୀକୃତ ଭାବେ ଯୋଗଦାନ କରିବେ ବୋଲି କହିଛନ୍ତି ରାଷ୍ଟ୍ରପତି।

ଅନ୍ୟପଟେ ରାଜ୍ୟରେ ଇଂଜିନିୟରିଂ ପାଠପଢ଼ାର ଓଡିଆ ମାଧ୍ୟମକୁ ଏଆଇସିଟିଇ ଓ ସିଏସଟିଟିର ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷଠାରୁ ରାଜ୍ୟରେ ଓଡ଼ିଆରେ ଇଂଜିନିୟରିଂ ପାଠପଢ଼ା ହେବାକୁ ଯାଉଥିବାବେଳେ ଏଆଇସିଟିଇ ଓ ସିଏସଟିଟିର ସହଯୋଗରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପ୍ରଥମ ବର୍ଷ ବି-ଟେକ ଓ ଡିପ୍ଲୋମା ଲାଗି ପୁସ୍ତକ ପ୍ରକାଶ କରିଛନ୍ତି।

ଏହା ଓଡ଼ିଆ ଶିକ୍ଷା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ-ଏଆଇସିଟିଇର ଓଡ଼ିଆରେ ଇଞ୍ଜିନିୟରିଂ ବହିର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ୩ଟି ଭଲ୍ୟୁମର ପୁସ୍ତକରେ ପ୍ରାୟ ୫୦ ହଜାର ଟର୍ମିନୋଲଜିର ପରିପ୍ରକାଶ କରିଥିବା ‘କମିଶନ ଫର ସାଇଣ୍ଟିଫିକ ଆଣ୍ଡ ଟେକ୍ନିକାଲ ଟର୍ମିନୋଲଜି’ (ସିଏସଟିଟି)କୁ ଧନ୍ୟବାଦ ଦେଇଛନ୍ତି ନବୀନ। ଇ-କୁମ୍ଭ ପୋର୍ଟାଲର ଲୋକାର୍ପଣ ମଧ୍ୟ ସାରାଦେଶର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।

ରାଜ୍ୟ ସରକାର ମଧ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ମାତୃଭାଷାରେ ସିଭିଲ ସର୍ଭିସ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ସ୍କୁଲ ଓ କଲେଜର ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ବୃତ୍ତି ପ୍ରଦାନ ଲାଗି ପଦକ୍ଷେପ ନିଆଯାଇଛି । ଯାହା ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ଦିଗରେ ବିଶେଷ ସହାୟକ ହେବ ବୋଲି ନବୀନ ଆଶା କରିଛନ୍ତି ।

Latest Posts

Don't Miss