spot_img

Latest Posts

ଆଜି ପଙ୍କୋଦ୍ଧାର ଏକାଦଶୀ, ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

ପୁରୀ: ଆଜି ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହୋଇଯାଇଛି । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଶ୍ରୀଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା ମନ୍ଦିରରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତି ନୀତି ନାହିଁ । ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଇଥାଏ । ବର୍ଷ ତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି, ସୁନା ରୂପାରେ ଆଚ୍ଛାଦିତ ହୋଇ ରହୁଥିବା ମହାପ୍ରଭୁ ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ଆଜି ବାହାର କରାଯାଇଛି ।

ପଙ୍କୋଦ୍ଧାର ଏକାଦଶୀ ଅବସରରେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ପକ୍ଷରୁ ଚୁଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ରାତ୍ର ୧୨ଟାରୁ ଦ୍ୱାର ଫିଟା ପରେ ବିଭିନ୍ନ ନୀତିକାନ୍ତି ବଢ଼ି ଭୋର ୫ଟାରୁ ସକାଳ ୭ଟା ମଧ୍ୟରେ ପଙ୍କୋଦ୍ଧାର ଶେଷ ପରେ ମାଘ ସ୍ନାନ ହୋଇ ଟିକେଟ ଦର୍ଶନ ଓ ସର୍ବସାଧାରଣ ଦର୍ଶନ ଚାଲିଛି । ତେବେ ପଙ୍କୋଦ୍ଧାର ଓ ଜାଗର ଅବସରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି। ପଙ୍କୋଦ୍ଧାର ଏକାଦଶୀ ଦିନ ୨ହଜାର ଓ ଜାଗର ଯାତ୍ରା ଦିନ ୪ହଜାର ସ୍ବତନ୍ତ୍ର ଦର୍ଶନ ଟିକେଟ ବିକ୍ରି ହେବାକୁ ଥିବାବେଳେ ଟିକେଟ ଦାମ୍ ୧୦୦ ଟଙ୍କା ରଖାଯାଇଛି ।

 

Latest Posts

Don't Miss