spot_img

Latest Posts

BSKY କାର୍ଡ ବନ୍ଧକ ରଖିବା ପଡ଼ିଲା ମହଙ୍ଗା, ସିଲ୍ ହେଲା ବେସରକାରୀ ହସ୍ପିଟାଲ

ଯୋଡ଼ା: BSKY କାର୍ଡ ବନ୍ଧକ ରଖିବା ପଡ଼ିଲା ମହଙ୍ଗା। ସିଲ୍ ହେଲା ବେସରକାରୀ ହସ୍ପିଟାଲ୍। କେନ୍ଦୁଝର ସହର କଲେଜ ରୋଡରେ ଥିବା ସନରାଇଜ୍ ହସ୍ପିଟାଲକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବନ୍ଧା ରଖିବା ଅଭିଯୋଗରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। କେନ୍ଦୁଝର କଲେଜ ରୋଡରେ ଥିବା ସନରାଇଜ ହସ୍ପିଟାଲକୁ ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ସିଲ୍ କରାଯିବା ସହ ହସ୍ପିଟାଲର ପଞ୍ଜୀକରଣ ବାତିଲ କରାଯାଇଛି ।

ସୂଚନା ଅନୁସାରେ, ଯୋଡ଼ା ବ୍ଲକ୍‌ ଦଡୁଆଁ ବିସ୍ଥାପିତ ଗାଁର ଜଣେ ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା କରାଇଦେବା ନାଁରେ ସନରାଇଜ ହସ୍ପିଟାଲ କର୍ତ୍ତୃପକ୍ଷ ସମ୍ପୃକ୍ତ ବ୍ୟକ୍ତିଙ୍କ BSKY କାର୍ଡକୁ ବନ୍ଧକ ରଖି ଫେରାଉ ନଥିଲେ । ଗତ ୨୭ ତାରିଖରେ ଯୋଡ଼ାରେ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ବ୍ୟକ୍ତି।

କେନ୍ଦୁଝର ପୌର ନିର୍ବାହୀ ଅଧିକାରୀ ଏବଂ ସଦର ତହସିଲଦାରଙ୍କୁ ଜିଲ୍ଲାପାଳ ଆଶିଷ ଠାକରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ସନରାଇଜ ହସ୍ପିଟାଲ ସିଲ୍ କରାଯିବା ସହ ବାତିଲ କରାଯାଇଛି ହସ୍ପିଟାଲର ପଞ୍ଜୀକରଣ। ହସ୍ପିଟାଲ ସିଲ୍ ସମୟରେ ADMO, ସଦର ତହସିଲଦାର, ଟାଉନ ଥାନା ପୋଲିସ, ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Latest Posts

Don't Miss