spot_img

Latest Posts

H3N2କୁ ଡରନ୍ତୁନି ସତର୍କ ରୁହନ୍ତୁ, ଆଶ୍ବସ୍ତ କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ରାଜ୍ୟରେ H3N2 ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ୧୪ତାରିଖ ସୁଦ୍ଧା ରାଜ୍ୟରେ ଆଉ ମାତ୍ର ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇସାରିଛନ୍ତି। H3N2 ସଂକ୍ରମିତଙ୍କଠାରେ କୋଭିଡ ଭଳି ଲକ୍ଷଣ ଦେଖା ଦେଉଥିଲେ ବି ଏହାକୁ ନେଇ ଚିନ୍ତା ବା ଆତଙ୍କିତ ହେବା ଆବଶ୍ୟକତା ନାହିଁ ବୋଲି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି। ବିଭିନ୍ନ ସରକାରୀ ଡାକ୍ତରଖାନାରୁ ଆସୁଥିବା ନମୁନାର ପରୀକ୍ଷା RMRC ରେ କରାଯାଉଛି। ତାପମାତ୍ରା ବୃଦ୍ଧି ସହିତ ଏହି ସଂକ୍ରମଣ ହ୍ରାସ ପାଇବ। ରାଜ୍ୟରେ ଏବେ ଏହି ଗ୍ରାଫ ତଳମୁହାଁ ହୋଇଥିବା ଜଣାପଡୁଛି।

ଡ୍ରପଲେଟରୁ ବୃଦ୍ଧି ପାଏ H3N2 ସଂକ୍ରମଣ। ସ୍କୁଲରେ ପିଲା ଏକାଠି ହେଉଥିବାରୁ ପିଲାଙ୍କ ମଧ୍ୟରେ ଏହା ଅଧିକ ବ୍ୟାପୁଛି। ଏହାକୁ ନେଇ ବାହାର ରାଜ୍ୟରେ ସ୍କୁଲ ବନ୍ଦ ଭଳି ସ୍ଥିତି ଉପୁଜିଛି। ହେଲେ ରାଜ୍ୟରେ ସେଭଳି ଆତଙ୍କିତ ହେବା ଭଳି ସ୍ଥିତି ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ଏହା ଋତୁକାଳୀନ ଇନଫ୍ଲୁଏଞ୍ଜା ହୋଇଥିବାରୁ ସଂକ୍ରମିତ ୭ଦିନ ମଧ୍ୟରେ ବିନା ଔଷଧରେ ସୁସ୍ଥ ହୋଇଥାନ୍ତି।

ଯଦି କୌଣସି ବ୍ୟକ୍ତିଙ୍କୁ ଅଧିକ ଦିନ ଥଣ୍ଡା, କାଶ, ଜ୍ଵର ଲାଗି ରହେ ତେବେ ଡାକ୍ତରଙ୍କୁ ପରାମର୍ଶ କରିବେ। ପ୍ରଥମେ କୋଭିଡ ଟେଷ୍ଟ ପରେ ଇନଫ୍ଲୁଏଞ୍ଜା ଟେଷ୍ଟ କରି ଚିକିତ୍ସା ହେବ। ଯଦି ଥଣ୍ଡା ଜ୍ଵର ନିମୋନିଆ ଆଡ଼କୁ ଗତି କରେ ଏଥିରେ ଆଣ୍ଟିବାୟୋଟିକ କାମ କରେ ନାହିଁ, ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିଭାଇରାଲ୍ ଔଷଧ ଆରମ୍ଭ ହେବ।

ରାଜ୍ୟରେ ଆତଙ୍କିତ ହେବା ଭଳି ସ୍ଥିତି ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରାଜ୍ୟରେ ଚିହ୍ନଟ ମୋଟ ୬୧ଜଣ ସଂକ୍ରମିତଙ୍କ ମଧ୍ୟରୁ ୬ଜଣ ୫ବର୍ଷରୁ କମ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି।

H3N2କୁ ନେଇ ଭୟଭୀତ ହୁଅନ୍ତୁନି, ସତର୍କ ରୁହନ୍ତୁ। ସାଧାରଣ ଫ୍ଲୁ ଭଳି ଏହା ଏକ ଫ୍ଲୁ ବୋଲି ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି । ଏହି ଫ୍ଳୁ ଦ୍ବାରା ବୟସ୍କ ଏବଂ ଶିଶୁ ଆକ୍ରାନ୍ତ ହେଉଛନ୍ତି। ତେଣୁ ସେମାନେ ସତର୍କ ରହିବା ଜରୁରୀ। କୋଭିଡ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଯାଇଛି।

ତେଣୁ ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଛି। ତେଣୁ କୋଭିଡ ରୋଗୀ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଥଣ୍ଡା କିମ୍ବା କାଶ ହେଉଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। ସର୍ବନିମ୍ନ ୬ଫୁଟ ଦୂରତା ଅବଲମ୍ବନ କରିବାକୁ ଡାକ୍ତର ଅଶୋକ ମହାପାତ୍ର ପରାମର୍ଶ ଦେଇଛନ୍ତି।

Latest Posts

Don't Miss