spot_img

Latest Posts

ପ୍ରତିମାସ ତୃତୀୟ ସପ୍ତାହରେ ବୈଠକ ମନା, ଗ୍ରାଉଣ୍ଡକୁ ଯିବେ ଅଧିକାରୀ

ଭୁବନେଶ୍ୱର: ଗ୍ରାଉଣ୍ଡକୁ ଯିବେ ଅଧିକାରୀ। ରାଜ୍ୟରେ ବିକାଶମୂଳକ କାର୍ଯ୍ୟ କେତେଦୂର ସଫଳ ରୂପାୟନ ହେଉଛି, ସେନେଇ ତଦାରଖ ପାଇଁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏଣିକି ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରତିମାସ ତୃତୀୟ ସପ୍ତାହରେ ଆଉ ବିଭାଗୀୟ ସଚିବମାନେ ଲୋକସେବା ଭବନରେ ବୈଠକ କରିବେନି। କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ କିମ୍ବା ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଥିଲେ, ସଂପୃକ୍ତ ସଚିବ ମୁଖ୍ୟାଳୟରେ ଉପସ୍ଥିତ ରହିପାରିବେ। ତୃତୀୟ ସପ୍ତାହରେ କୌଣସି ବିଭାଗର କାର୍ଯ୍ୟସୂଚୀରେ ବୈଠକ ସମ୍ପର୍କରେ ଉଲ୍ଲେଖ ରହିବ ନାହିଁ। ବିଭାଗୀୟ ସଚିବ ଏବଂ ସ୍ବତନ୍ତ୍ର ସଚିବଙ୍କୁ ଯେଉଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି, ସେମାନେ ସଂପୃକ୍ତ ଜିଲା ଗସ୍ତ କରିବେ। ଏମିତିକି ଦୁର୍ଗମ ଅଞ୍ଚଳରେ ଲୋକେ କିଭଳି ଜୀବନ ଯାପନ କରୁଛନ୍ତି ଓ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି କି ନାହିଁ, ସେନେଇ ତଦାରଖ କରିବେ। ଆବଶ୍ୟକସ୍ଥଳେ ରାତିରେ ଦୁର୍ଗମ ଅଞ୍ଚଳରେ ରହଣୀ କରିବେ। ଏନେଇ ପ୍ରତିମାସ ତୃତୀୟ ସପ୍ତାହରେ ବିଭାଗୀୟ କାର୍ଯ୍ୟସୂଚୀରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଏନେଇ ଉନ୍ନୟନ କମିଶନର ଅନୁ ଗର୍ଗ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, କୃଷି, ଦକ୍ଷତା ବିକାଶ, ପୁଞ୍ଜିନିବେଶ ଭଳି ବିଭିନ୍ନ କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନିଆଯାଉଛି। ଏହାଦ୍ବାରା ସାମଗ୍ରିକ ବିକାଶ ତ୍ବରାନ୍ବିତ ହେବ। ଦୁର୍ଗମ ଅଞ୍ଚଳବାସୀଙ୍କୁ ସାମାଜିକ ସୁରକ୍ଷା ମିଳିବା ସହ ମହିଳା ସଶକ୍ତୀକରଣ, ଯୁବବର୍ଗ, ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆବର୍ଗଙ୍କ ବିକାଶ ହୋଇପାରିବ। ସଚିବ ଓ ବରିଷ୍ଠ ଅଧିକାରୀ ଦାୟିତ୍ବ ବଣ୍ଟନ କରାଯାଇଥିବା ଅଞ୍ଚଳ ସହ ଆବଶ୍ୟକସ୍ଥଳେ ନିକଟସ୍ଥ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର ତଦାରଖ କରିପାରିବେ।

Latest Posts

Don't Miss