spot_img

Latest Posts

ବ୍ରିଜଭୂଷଣଙ୍କ ନାର୍କୋ ଟେଷ୍ଟ ଚ୍ୟାଲେଞ୍ଜ ସ୍ୱୀକାର କଲେ କୁସ୍ତିଯୋଦ୍ଧା, କହିଲେ ସୁପ୍ରିମକୋର୍ଟଙ୍କ ସଂନିରୀକ୍ଷଣରେ ହେଉ ଲାଇଭ ଟେଷ୍ଟ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ନାର୍କୋ ଟେଷ୍ଟ ଚ୍ୟାଲେଞ୍ଜକୁ ସ୍ୱୀକାର କରିନେଇଛନ୍ତି ଜନ୍ତରମନ୍ତରରେ ଆନ୍ଦୋଳନରତ କୁସ୍ତିଯୋଦ୍ଧା । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଆମେ ସମସ୍ତେ କୌଣସି ବି ଟେଷ୍ଟ ପାଇଁ ପ୍ରସ୍ତୁତ ଅଛୁ, କିନ୍ତୁ ଏହା ସୁପ୍ରିମକୋର୍ଟଙ୍କ ସଂନିରୀକ୍ଷଣରେ କରାଯାଉ । ନାର୍କୋ ଟେଷ୍ଟ ଲାଇଭ ହେଉ ଯାହା ଫଳରେ ପ୍ରଶ୍ନ ଏବଂ ଉତ୍ତର ସାରା ଦେଶ ଶୁଣିପାରିବ । ବ୍ରିଜଭୂଷଣ ରବିବାର କହିଥିଲେ ଯେ ମୁଁ ନିଜର ନାର୍କୋ ଟେଷ୍ଟ, ପଲିଗ୍ରାଫି ଟେଷ୍ଟ ଏବଂ ଲାଏ ଡିଟେକ୍ଟର ଟେଷ୍ଟ କରାଇବା ପାଇଁ ପ୍ରସ୍ତୁତ ଅଛି, କିନ୍ତୁ ମୋର ସର୍ତ୍ତ ଯେ ମୋ ସହ ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କର ମଧ୍ୟ ଏହି ଟେଷ୍ଟ ହେବା ଆବଶ୍ୟକ ।

ସେମାନେ ମିଡିଆ ଡକାଇ ଏହାର ଘୋଷଣା କରନ୍ତୁ । କୁସ୍ତିଯୋଦ୍ଧାମାନେ ଗତ ୩୦ ଦିନ ହେବ ଦିଲ୍ଲୀର ଜନ୍ତର ମନ୍ତରରେ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ତଦନ୍ତ ଏବଂ ଗିରଫଦାରୀ ଦାବି କରି ଧାରଣାରେ ବସିଛନ୍ତି । ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନାର ଦୁଇଟି ମାମଲା ମଧ୍ୟ ଚାଲିଛି । ଏଥି ମଧ୍ୟରୁ ପକ୍ସୋ ଆଇନ ଆଧାରରେ ଏକ ମାମଲା ମଧ୍ୟ ରହିଛି । ବଜରଙ୍ଗ ପୁନିଆ କହିଛନ୍ତି ସୁପ୍ରିମକୋର୍ଟ ଏଥିରେ ସଜ୍ଞାନ ନେଇ ନିଜର ସନିରୀକ୍ଷଣରେ ନାର୍କୋ ଟେଷ୍ଟ କରାନ୍ତୁ । ଏଥିସହିତ ନାର୍କୋ ଟେଷ୍ଟ ଲାଇଭ ହେବା ଆବଶ୍ୟକ, ଯାହା ଫଳରେ ସାରା ଦେଶବାସୀ ଜାଣନ୍ତୁ ଯେ ବ୍ରିଜଭୂଷଣଙ୍କୁ କି ପ୍ରକାରର ପ୍ରଶ୍ନ ପଚରାଯାଉଛି ଏବଂ ଏହାର କି ଜବାବ ସେ ଦେଉଛନ୍ତି ।

ବ୍ରିଜଭୂଷଣଙ୍କ ୧୫ ଟଙ୍କାର ମେଡାଲ ବୟାନ ଉପରେ ବଜରଙ୍ଗ କହିଛନ୍ତି ଏହା କେବଳ ମେଡାଲର ନୁହେଁ ବରଂ ତ୍ରିରଙ୍ଗାର ମଧ୍ୟ ଅପମାନ ଅଟେ । କାରଣ ଯେବେ ଆମେ ମେଡାଲ ଜିତିଥାଉ ସେବେ ତ୍ରିରଙ୍ଗାକୁ ମୁଣ୍ଡରେ ଉଠାଇ ବୁଲିଥାଉ । ବଜରଙ୍ଗ କୋଚ୍ ବିନୋତ ତୋମାର, ଜିତେନ୍ଦ୍ର ଏବଂ ଧୀରେନ୍ଦ୍ରଙ୍କର ମଧ୍ୟ ନାର୍କୋ ଟେଷ୍ଟ କରାଇବା ନେଇ ଦାବି କରିଛନ୍ତି । ବିନେଶ ଫୋଗାଟ ମଧ୍ୟ କହିଛନ୍ତି ଯେ ନା କେବଳ ବିନେଶ ଏବଂ ବଜରଙ୍ଗର ନାର୍କୋ ଟେଷ୍ଟ ହେବା ଦରକାର ବରଂ ସମସ୍ତ ୭ ଅଭିଯୋଗକାରୀ ପୀଡିତା କୁସ୍ତିଯୋଦ୍ଧାଙ୍କର ମଧ୍ୟ ଟେଷ୍ଟ ହେବା ଆବଶ୍ୟକ । ଯାହା ପାଇଁ ସେମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

Latest Posts

Don't Miss