spot_img

Latest Posts

ଆଜି ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ ନୀତି। ବିଦର୍ଭର ରାଜା ଭୀଷ୍ମକଙ୍କର କନ୍ୟା ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ । ଏଥିଲାଗି ସ୍ବତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବ । ବିଶେଷ ନୀତିପାଇଁ ଅପରାହ୍ନ ଗୋଟାଏରୁ ୫ଟା ପର୍ଯ୍ୟନ୍ତ ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଗତକାଲି ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦଶମୀ ତିଥିରେ ସନ୍ଧ୍ୟା ଧୂପ ନୀତି ବଢ଼ିବା ପରେ ଶ୍ରୀମନ୍ଦିରରେ ଘଣ୍ଟ କାହାଳୀ, ମହୁରି ବାଜି ମହାପ୍ରଭୁଙ୍କ ଅଭିଷେକ ନୀତି ବା ରାଜେନ୍ଦ୍ରାଭିଷେକ ନୀତି ସମ୍ପନ୍ନ ହୋଇଥିଲା ।

ଅନ୍ୟପଟେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ତିନି ରଥର ଦଣ୍ଡା ଉପରେ ଭୁଇଁ ବସିବା ପରେ ଚାରିନାହାକା ଡେରା ହୋଇଛି । ପ୍ରତ୍ୟେକ ରଥରେ ଚାରିଟି ଲେଖାଏଁ  ନାହାକା ମୋଟ ୧୨ଟି ନାହାକା ଠିଆ କରାଯାଇଛି । ଏହାପରେ ୧୪ଟି ନାହାକା ଠିଆ କରାଯିବ। ରଥ ଉପରେ ଛନ୍ଦା ଓ ଗୟଳ ଭିଡା କାର୍ଯ୍ୟ ମଧ୍ୟ ଚାଲିଛି । ମହାପ୍ରଭୁଙ୍କ ତିନିରଥର ଚାରିନାହାକା ସହିତ ଜୋଖା ଭିଡା ଯାଇଛି।

ଏହାପରେ ଭୁଇଁ ଯୋଡା କାର୍ଯ୍ୟ ସରିବା ପରେ ପ୍ରତ୍ୟେକ ରଥରେ ତିନି ଗୋଟି ଭୁଇଁ ଉଠିବ। ପ୍ରଥମ ଭୂଇଁ ଛକାଠ ଲାଗିବା ପରେ ଦ୍ୱିତୀୟ ଭୂଇଁ ଉଠିବା କାର୍ଯ୍ୟ ଆରମ୍ଭ ହେବ।  ପ୍ରତ୍ୟେକ ଭୂଇଁରେ ୧୨ଟି ଲେଖାଏଁ କାଠ ଯୋଡା ଯାଇଛି । ପ୍ରତି ରଥରେ ତିନି ଥାକରେ ତିନି ଗୋଟି ଭୂଇଁରେ ମୋଟ ୩୦ଟି କାଠ ଯୋଡାଯିବ। ଭୁଇଁ ଯୋଡା କାର୍ଯ୍ୟ ସରିବା ପରେ ପ୍ରତ୍ୟେକ ରଥରେ ତିନି ଗୋଟି ଭୁଇଁ ଉଠିବ।

Latest Posts

Don't Miss