spot_img

Latest Posts

ବାହାନଗା ବିଭୀଷିକା: ରକ୍ତଦାନ ପାଇଁ ଆଗକୁ ଆସିଲେ ଭୁବନେଶ୍ୱରବାସୀ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଏହି ଭୟାନକ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୭୫ ଜଣଙ୍କ ଜୀବନ ଯାଇଛି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ପାଇଁ ରକ୍ତର ଆବଶ୍ୟକତା ପଡ଼ୁଛି । ଅନେକ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଲୋକମାନେ ଆଗକୁ ଆସି ରକ୍ତଦାନ କରୁଛନ୍ତି । ଏହି କ୍ରମରେ ଆଜି ଭୁବନେଶ୍ୱରରେ ମଧ୍ୟ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଓଲିଉଡ଼ ଅଭିନେତ୍ରୀ ଏଲିନା ସାମନ୍ତରାୟ, ସମାଜସେବୀ ହୀରାଲାଲ ଶର୍ମା ଏବଂ ସି.କେ ଶର୍ମାଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଡ଼କ୍ରସ ଭବନ ଠାରେ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଏହି ଶିବିରରେ ନିଜର ମାନବିକତାର ପରିଚୟ ଦେବାପାଇଁ ରାଜଧାନୀର ଅନେକ ଜନସାଧାରଣଙ୍କର ଲମ୍ବା ଧାଡି ଲାଗିଥିଲା । ତାଙ୍କ ସହିତ ସିନେମା ଜଗତ ସହିତ ଜଡିତ ଥିବା ଅନେକ ମହାନୁଭବ ଯୋଗଦେଇ ସ୍ବେଛାକୃତ ଭାବେ ରକ୍ତଦାନ କରିଛନ୍ତି । ପିପିଲିର ଯୁବ ବିଧାୟକ ରୁଦ୍ର ମହାରଥୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ରୋଜାଲିନ ପଟ୍ଟଶାଣି, ଋଷି ପଟ୍ଟନାୟକ, ସିନେ ପ୍ରଯୋଜକ ଟୁଟୁ ନାୟକ, ସଚିକାନ୍ତ ଜେନା, ସାନୁ ରଥ, ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଦାଶ, ଶୀତଲ ପାତ୍ର, ଓଲିଉଡ଼ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, ଅଭିନେତା ଜ୍ୟୋତି ନାୟକ, ରଣବୀର କଲସି ପ୍ରମୁଖ ଶିବିରରେ ଯୋଗଦେଇ ରକ୍ତଦାନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଏବଂ ମାନବିକତାର ପରିଚୟ ଦେଇଥିବାରୁ ସମସ୍ତଙ୍କୁ ପ୍ରଶଂସା ସହିତ ଧନ୍ୟବାଦ ଜଣାଇଥିଲେ ।

ଦିନ ୩ ଟା ପର୍ଯ୍ୟନ୍ତ ୧୬୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏବଂ ଆହୁରି ୯୫ ଜଣ ରକ୍ତଦାନ ପାଇଁ ଧାଡିରେ ଥିଲେ । ସନ୍ଧ୍ୟା ୫ ଟା ସୁଦ୍ଧା ୨୫୦ ୟୁନିଟ ରକ୍ତ ସଂଗ୍ରହ ହେବା ଆଶା ରଖିଛନ୍ତି ଆୟୋଜକ । ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ତାଙ୍କ ସହଯୋଗୀଙ୍କ ଏହି ମହତ କାର୍ଯ୍ୟକ୍ରମ ପାଇଁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ । ଡାକ୍ତର ରଘୁନାଥ ବେହେରା, ଡାକ୍ତର ଗୀତା ମିଶ୍ର ଏବଂ ରେଡକ୍ରସ ର ସମ୍ପାଦକ ବିଭୁତି ଭୂଷଣ ପଟ୍ଟନାୟକ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ ।

Latest Posts

Don't Miss