spot_img

Latest Posts

ଅଶାନ୍ତ ହେବାରେ ଲାଗିଛି ଫ୍ରାନ୍ସ , ପୋଲିସ ଗୁଳିରେ ୧୭ ବର୍ଷୀୟ ନାବାଳକର ମୃତ୍ୟୁ ପରେ ୪ ଦିନ ହେଲା ଚାଲିଛି ହିଂସା

ପ୍ୟାରିସ: ଅଶାନ୍ତ ହେବାରେ ଲାଗିଛି ଫ୍ରାନ୍ସ । ପୋଲିସ ଗୁଳିରେ ଜଣେ ୧୭ ବର୍ଷୀୟ ନାବାଳକର ମୃତ୍ୟୁ ପରେ ୪ ଦିନ ହେଲା ଫ୍ରାନ୍ସରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଆନ୍ଦୋଳନକାରୀ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି। ବିଭିନ୍ନ ସ୍ଥାନରେ ପୋଲିସ ଏବଂ ଦଙ୍ଗାକାରୀ ମୁହାଁମୁହିଁ ହୋଇଛନ୍ତି । ୮ ଶହରୁ ଅଧିକ ଲୋକ ଗିରଫ ହେଲେଣି। ବଜାରରୁ ଲୁଟ୍ ହେଉଛି ଏବଂ ହଜାର ହଜାର ଗାଡ଼ି ଜାଳି ଦିଆଯାଇଛି । ବିଭିନ୍ନ ସହରରେ କର୍ଫ୍ୟୁ ଜାରି ହୋଇଛି। ସୁରକ୍ଷା ପାଇଁ ୪୫ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି । ଆଜି ଏକ ଜରୁରୀ ବୈଠକରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସୂଚନା ଦେଇଛନ୍ତି ଯେ, ଦଙ୍ଗାକାରୀମାନେ ୪୯୨ ସରକାରୀ କୋଠା ନଷ୍ଟ କରିଛନ୍ତି ।

୩ ହଜାର ୮୮୦ ସ୍ଥାନରେ ପୋଡ଼ାଜଳା ହୋଇଛି। ସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ଦେଶରେ ଜରୁରୀ ସ୍ଥିତି ଜାରି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ୧୭ ବର୍ଷୀୟ ନାବାଳକ ନାହେଲ ଏମଙ୍କୁ ଗୋଟିଏ ଟ୍ରାଫିକ ପୋଷ୍ଟ ନିକଟରେ ଜଣେ ପୋଲିସ୍‌ ଅଧିକାରୀ ଗୁଳି କରି ହତ୍ୟା କରିଥିଲେ। ନାହେଲ ଟ୍ରାଫିକ ପୋଷ୍ଟରେ ଦ୍ରୁତଗତିରେ ଗାଡ଼ି ଚଳାଇ ଯାଉଥିଲେ। କିଛି ବାଟ ଯିବା ପରେ ପୋଲିସ୍‌ ଅଧିକାରୀ ଜଣଙ୍କ ତାଙ୍କୁ ଅଟକାଇ ଜିରୋ ରେଞ୍ଜରୁ ଗୁଳି କରିଥିଲେ । ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ହିଂସା ଥମିବାର ନାଁ ଧରୁନି।

Latest Posts

Don't Miss