spot_img

Latest Posts

ଓଡିଶା ଅଣସଂଗଠିତ ଶ୍ରମିକ କଲ୍ୟାଣ ଯୋଜନାରେ ସାମିଲ ହେବେ ୫୦ଟି ବର୍ଗ

ଭୁବନେଶ୍ବର: ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ହେବେ ଡେଲିଭରି ବୟ, କୁମ୍ଭାର, କମାର, ପାଇପମିସ୍ତ୍ରୀ ଭଳି ୫୦ଟି ବର୍ଗ । ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ଏବେ ବୁଲାବିକାଳି, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି।

ଏବେ ଆଉ ୫୦ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବୋର୍ଡରେ ରେଜିଷ୍ଟ୍ରିଭୁକ୍ତ ଶ୍ରମିକଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୨ଲକ୍ଷରୁ ୪ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ସେହିପରି ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୧ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କାକୁ ବଢ଼ାଯାଇଛି।

୨୦୧୭ ମେ ପହିଲାରୁ ଆରମ୍ଭ ହୋଇଥିବା ଏହି ବୋର୍ଡ ଜରିଆରେ ବର୍ତ୍ତମାନ ୧୦ଟି ବର୍ଗର ପ୍ରାୟ ୩.୬୫ ଲକ୍ଷ ପଞ୍ଜୀକୃତ ଶ୍ରମିକ ସୁବିଧା ପାଉଛନ୍ତି। ଏବେ ଆଉ ୫୦ ବର୍ଗର ଅଣସଂଗଠିତ ଶ୍ରମିକ ଏହି ଯୋଜନାରୁ ଉପକୃତ ହେବେ।

Latest Posts

Don't Miss