spot_img

Latest Posts

ରପ୍ତାନିକାରୀଙ୍କୁ ବିଭିନ୍ନ ଖର୍ଚ୍ଚର ଅର୍ଥ ଭରଣା ପ୍ରଦାନ ପାଇଁ ରାଜ୍ୟ ସରକାର ଖୋଲିଲେ ସ୍ବତନ୍ତ୍ର ଓ୍ବେବ୍ ପୋର୍ଟାଲ୍

ଭୁବନେଶ୍ବର: ଦେଶର ରପ୍ତାନୀ ଓ ଉତ୍ପାଦ ହବ୍ ହେଲାଣି ଓଡ଼ିଶା। ରପ୍ତାନିକାରୀଙ୍କୁ ବିଭିନ୍ନ ଖର୍ଚ୍ଚର ଅର୍ଥ ଭରଣା ପ୍ରଦାନ ପାଇଁ ରାଜ୍ୟ ସରକାର ଖୋଲିଲେ ସ୍ବତନ୍ତ୍ର ଓ୍ବେବ୍ ପୋର୍ଟାଲ୍। ଆଜି ଏହି ଓ୍ବେବ୍ସାଇଟ୍ର ଲୋକାର୍ପଣ କରିଛନ୍ତି ଏମଏସ୍ଏମ୍ଇ ମନ୍ତ୍ରୀ। ଓ୍ବେବ୍ ପୋର୍ଟାଲ୍ ଜରିଆରେ ରପ୍ତାନିକାରୀ ଆବେଦନ କଲେ ବିଭାଗୀୟ ଚୟନ କମିଟି ତର୍ଜମା କରିବା ପରେ ରପ୍ତାନୀ ନିର୍ଦ୍ଦେଶାଳୟ ଖର୍ଚ୍ଚ ଭରଣା କରିବ। ଚଳିତବର୍ଷ ଏମ୍ଏସ୍ଏମ୍ଇ ବିଭାଗକୁ ଋଣ ଆବଣ୍ଟନ ପାଇଁ ୭୨ହଜାର କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ରାଜ୍ୟରେ ସଶକ୍ତ ଓ ସମୃଦ୍ଧ ହେଉଛି ଏମ୍ଏସ୍ଏମ୍ଇ ଶିଳ୍ପ। ଉଦ୍ୟୋଗୀଙ୍କୁ ମିଳୁଛି ସବୁ ସୁବିଧା । ରପ୍ତାନୀ କରୁଥିବା ଏମଏସଏମ୍ଇ ଶିଳ୍ପକୁ ସରକାରଙ୍କ ଉପହାର। ଏଣିକି ରପ୍ତାନିକାରୀ ଦେଶ ଭିତରେ ଓ ବିଦେଶ ଗସ୍ତ ଖର୍ଚ୍ଚ, ପ୍ରଦର୍ଶନୀ ଖର୍ଚ୍ଚ, ଗବେଷଣା ଫି’ ଭରଣା ପାଇଁ ଯିବେନି ସରକାରୀ ଅଫିସ। 5T ଉପକ୍ରମରେ ଘରେ ବସି ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏଥିପାଇଁ ଆଜି ବିଭାଗୀୟ ମନ୍ତ୍ରୀ ରପ୍ତାନୀ ଭବନରେ ଏକ ଓ୍ବେବ୍ ପୋର୍ଟାଲ ଲୋକାର୍ପଣ କରିଛନ୍ତି। ୨୦୨୨ ନଭେମ୍ବର ୩୦ ପରେ ରପ୍ତାନୀ କରିଥିବା ଉଦ୍ୟୋଗୀ ପୋର୍ଟାଲରେ ଅର୍ଥ ଭରଣା ପାଇଁ ଆବେଦନ କରିପାରିବେ।

https://eirp-depm.odisha.gov.in  ନାମରେ ଓ୍ବେବ୍ ପୋର୍ଟାଲରେ ରପ୍ତାନିକାରୀ ପ୍ରଥମେ ନିଜ ଇ-ମେଲ ଆଇଡି, ମୋବାଇଲ ନମ୍ବର ଦେଇ ଉଦ୍ଦିଷ୍ଟ ପ୍ରୋଫାଇଲ୍ ପେଜ ପୂରଣ କରିବେ। ପରେ ଏସ୍ଏମ୍ଏସ ଜରିଆରେ ଗୋଟିଏ ଓଟିପି ଦେଇ ପାସ୍ଓ୍ବାର୍ଡ ସୃଷ୍ଟି କରିବେ । ଏହାପରେ ଓ୍ବେବ୍ ପୋର୍ଟାଲର ହୋମ୍ ପେଜ୍କୁ ଯାଇ ପଞ୍ଜିକୃତ ଇ-ମେଲ୍ ଓ ପାସ୍ଓ୍ବାର୍ଡ ଦେଲେ ୭ପ୍ରକାର ସୁବିଧା ଉପଲବ୍ଧ ଥିବା ଗୋଟିଏ ପେଜ୍ ଖୋଲିବ। ନିର୍ଦ୍ଧାରିତ ତଥ୍ୟ ଦେଇ ଆବେଦନ ସବ୍ମିଟ୍ କରିବେ। ରପ୍ତାନୀ ନିର୍ଦ୍ଦେଶାଳୟ ସମ୍ପୃକ୍ତ ଆବେଦନଟିକୁ ଏମଏସଏମ୍ଇ ବିଭାଗକୁ ବିଚାର ପାଇଁ ପଠାଇବ। ବିଭାଗୀୟ ଚୟନ କମିଟି ଆବେଦନଟି ଯାଞ୍ଚ କରି ଅନୁମୋଦନ ପୂର୍ବକ ପୁଣି ଥରେ ନିର୍ଦ୍ଦେଶାଳୟକୁ ଫେରାଇବ। ଚୂଡ଼ାନ୍ତ ପ୍ରକ୍ରିୟାରେ ସମସ୍ତ ଖର୍ଚ୍ଚ ଟଙ୍କା ଡିବିଟି ଜରିଆରେ  ରପ୍ତାନିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ୍କୁ ପ୍ରଦାନ କରାଯିବ।

ଆଇପିଆର୍ ୨୦୨୨ ଆଧାରରେ ମତ୍ସ୍ୟ, ଖାଦ୍ୟ ଉତ୍ପାଦ, ସ୍ପଞ୍ଜ ଆଇରନ୍ ଶିଳ୍ପ ଉତ୍ପାଦକୁ ମିଳୁଛି ପ୍ରୋତ୍ସାହନ। ଏହି ଓ୍ବେବ୍ ପୋର୍ଟାଲକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ରପ୍ତାନିକାରୀ। ପୋର୍ଟାଲକୁ ଆହୁରି ସରଳ ଓ ସୁବିଧାଜନକ କରିବାକୁ ରପ୍ତାନିକାରୀ ଦେଉଥିବା ଆବଶ୍ୟକ ପରାମର୍ଶକୁ ବି ସରକାର ଗ୍ରହଣ କରିବେ। ଶିଳ୍ପ ସଂପ୍ରସାରଣ ଇନ୍ସେଣ୍ଟିଭ୍ ପାଇବାକୁ ସରକାର ୫୦ପ୍ରତିଶତ ପୁଞ୍ଜି ଲଗାଣ ପାଇଁ ନିୟମ କରିଛନ୍ତି । ଏହାକୁ ହ୍ରାସ କରିବାକୁ ଅନେକ ରପ୍ତାନିକାରୀ ମତ ରଖିଛନ୍ତି।

ରିସ୍କ୍ ନିଅ, ଉତ୍ପାଦନ ବଢାଅ। ସୃଷ୍ଟି କର ରୋଜଗାର।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଲକ୍ଷ୍ୟକୁ ପୂରଣ କରୁଛି ଏମ୍ଏସ୍ଏମ୍ଇ ବିଭାଗ। ରାଜ୍ୟକୁ ଆର୍ଥିକ ସ୍ବାବଲମ୍ବୀ କରିବାରେ ଏମ୍ଏସ୍ଏମ୍ଇର ରହିଛି ବଡ଼ ଭୂମିକା। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଗତ ଆର୍ଥିକ ବର୍ଷରେ ଓଡ଼ିଶାରେ ଏମ୍ଏସ୍ଏମ୍ଇ ଶିଳ୍ପ ପାଇଁ ୫୪ ହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ମିଳିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ଥିଲା। ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ଋଣ ପରିମାଣ ୫୯ ହଜାର କୋଟିରେ ପହଞ୍ଚିଛି । ଏହା କୃଷି ଋଣକୁ ପଛରେ ପକାଇ ଦେଇଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୭୨ହଜାର କୋଟି ଟଙ୍କା ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

 

Latest Posts

Don't Miss