spot_img

Latest Posts

୮ଟି ସନ୍ତାନର ମାଆ ହେବା ଲାଗି ମହିଳାଙ୍କୁ ଆହ୍ବାନ, ଋଷ ରାଷ୍ଟ୍ରପତିଙ୍କ ଅଜବ ନିୟମ

ମସ୍କୋ: ଋଷ-ୟୁକ୍ରେନ ଯୁଦ୍ଧ ପରେ କମିଲେଣି କି ଋଷ ଜନସଂଖ୍ୟା? ସାରା ବିଶ୍ବରେ ଜନସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ହୋଇଥିବାବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଇଛନ୍ତି ବିଚିତ୍ର ଆହ୍ବାନ। ଏପରିକି ୮ଟି ସନ୍ତାନର ମାଆ ହେବା ଲାଗି ମହିଳାମାନଙ୍କୁ ଆହ୍ବାନ ଦେଇଛନ୍ତି ପୁଟିନ। ବଡ ପରିବାର ସୃଷ୍ଟି ଲକ୍ଷ୍ୟରେ ଏହି ଆହ୍ବାନ ଦିଆଯାଇଛି। ବିଶ୍ବ ଋଷୀୟ ଜନଗଣ ପରିଷଦ ବୈଠକରେ ଯୋଗଦେଇ ପୁଟିନ ଏହା କହିଛନ୍ତି ।

୧୯୯୦ ପରଠାରୁ କ୍ରମାଗତ ଭାବେ ଋଷର ଜନସଂଖ୍ୟା ହ୍ରାସ ପାଉଥିବାବେଳେ ଗତବର୍ଷ ଫେବ୍ରୁଆରୀରେ ଋଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶର ପ୍ରାୟ ୩ ଲକ୍ଷ ଲୋକ ମୃତାହତ ହୋଇଛନ୍ତି । ଜନସଂଖ୍ୟା ବୃଦ୍ଧି ହେଲେ ଦେଶରେ ସ୍ବାଭାବିକ ସ୍ଥିତି ଫେରିପାରିବ ବୋଲି କହିଛନ୍ତି ପୁଟିନ। ସେ କହିଛନ୍ତି ଦେଶର ବହୁଭାଷାଭାଷୀ ପରିବାରରେ ୪, ୫ କିମ୍ବା ଅଧିକ ସନ୍ତାନ ଥିବା ଦେଖାଯାଏ। ଅତୀତରେ ପରିବାରରେ ୭, ୮ କିମ୍ବା ଅଧିକ ସନ୍ତାନ ରହୁଥିଲେ। ମାତ୍ର ବର୍ତ୍ତମାନ ସେହି ସଂଖ୍ୟା ହ୍ରାସ ପାଉଥିବାରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଉଛି। ରାଷ୍ଟ୍ର ଓ ସମାଜର ଭିତ୍ତି ସୃଦୃଢ଼ କରିବା ଲାଗି ଏହା ଜରୁରୀ ବୋଲି ସେ କହିଛନ୍ତି।

ଯଦିଓ ଯୁଦ୍ଧ ପ୍ରସଙ୍ଗରେ ପୁଟିନ ପ୍ରତ୍ୟକ୍ଷ ଭାବେ ଉଲ୍ଲେଖ କରିନାହାନ୍ତି ତଥାପି ଯୁଦ୍ଧ ଲାଗି ଦେଶର ଜନସଂଖ୍ୟା ପ୍ରଭାବିତ ହୋଇଥିବା କୁହାଯାଇଛି । ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ତଥ୍ୟ ଅନୁସାରେ ୟୁକ୍ରେନରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ପାର୍ ହୋଇଛି । ଗତ ଜାନୁଆରୀ ୧ ତାରିଖରେ ଋଷର ଜନସଂଖ୍ୟା ୧୪ କୋଟି ୬୪ ଲକ୍ଷ ଥିବାବେଳେ ଏହି ସଂଖ୍ୟା ୧୯୯୯ ତୁଳନାରେ କମ୍ ଥିବା ସୂଚନା ମିଳିଛି ।

Latest Posts

Don't Miss