ଦିଲ୍ଲୀ ଗୋକୁଲପୁରୀ ମେଟ୍ରୋ ଷ୍ଟେସନରେ ଅଘଟଣ, ଧସିଲା କାନ୍ଥ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋର ଗୋଲାପୀ ରୁଟରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୋକୁଲପୁରୀ ମେଟ୍ରୋ ଷ୍ଟେସନର ପ୍ଲାଟଫର୍ମର ପାର୍ଶ୍ୱ କାନ୍ଥର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ପଥଚାରୀ ଆହତ ହୋଇଥିବା ଜଣାଯାଇଛି। ତେବେ ମୋଟ୍ କେତେ ଜଣ କ୍ଷତାକ୍ତ ହୋଇଛନ୍ତି ଏଯାବତ୍ ଜଣାପଡିନାହିଁ ।

ଚିନ୍ତାର କଥା ହେଉଛି ଦିଲ୍ଲୀ ମେଟ୍ରୋର ଗୋଲାପୀ ରୁଟ୍ ନିକଟ ଅତୀତରେ ନିର୍ମାଣ ହୋଇଥିଲା। ଏଭଳି ପରିସ୍ଥିତିରେ ମେଟ୍ରୋ ଷ୍ଟେସନ ନିର୍ମାଣର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।  ମେଟ୍ରୋ ଷ୍ଟେସନ ନିକଟରେ ବ୍ୟାରିକେଡ୍ କରାଯାଇଛି। ରାସ୍ତାରୁ ଭଗ୍ନାବଶେଷ ହଟାଯାଉଥିବା ଦେଖିବାକୁ ମିଳିଛି ।

ଦୁର୍ଘଟଣା ପରେ ଶିବ ବିହାର ଏବଂ ଗୋକୁଲପୁରୀ ମଧ୍ୟରେ ଏହି ମାର୍ଗରେ ଡିଏମଆରସି ପକ୍ଷରୁ ମେଟ୍ରୋ କାର୍ଯ୍ୟ ବନ୍ଦ କରିଦିଆଇଛି । ମେଟ୍ରୋ ପ୍ଲାଟଫର୍ମରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହାର ଅନୁସନ୍ଧାନ କରାଯାଉଛି।