spot_img

Latest Posts

ବଦଳିବ ପାଗ, ପଶ୍ଚିମା ଝଡ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ପାରଦ । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପ୍ରଭାବରେ ରାଜ୍ୟରେ ତାତି ବଢିଛି । ରାଜ୍ଯରେ ଅଧାରୁ ଅଧିକ ସହର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳ ଓଡିଶାରେ ସ୍ବାଭାବିକ ଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଫେବୃୟାରୀରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଏବଂ ବାୟୁ ଚଳାଚଳରେ ପରିବର୍ତ୍ତନ ପାଇଁ ଏଭଳି ଖରା  ବୃଦ୍ଧି ପାଇଛି । କ୍ରମାଗତ ଭାବେ ବଢୁଥିବା ତାତିକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ଏସଆରସି । ଗ୍ରୀଷ୍ମ ପ୍ରବାହଜନିତ ରୋଗ ଓ କ୍ଷୟକ୍ଷତି ରୋକିବାକୁ ଜନ ସଚେତନତା ଅଭିଯାନ ସହ ଅଂଶୁଘାତରେ ଯେପରି କାହାର ମୃତ୍ୟୁ ନ ହୁଏ ସେଥିପ୍ରତି ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।  ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବେ। ବିଶୁଦ୍ଧ ପାନୀୟ ଜଳ ଓ ଓଆର୍ଏସ୍ ବ୍ୟବସ୍ଥା ହେବ। ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରାଯିବ।

ବିଦ୍ୟାଳୟ ପରିସରରେ ଥିବା ନଳକୂପ ମରାମତି, ସ୍କୁଲ ଓ କଲେଜରେ ପର୍ଯ୍ୟାପ୍ତ ଓଆରଏସ୍ ମହଜୁଦ, ଆଉଟଡୋର୍ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ। ପିଲାମାନେ ସ୍କୁଲ, କଲେଜ ଯିବା ସମୟରେ ସାଙ୍ଗରେ ପାଣି ବୋତଲ ନେଇ ଯିବାକୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସଚେତନ କରାଇବେ। ଅଙ୍ଗନବାଡ଼ି କେନ୍ଦ୍ର କେବଳ ସକାଳ ସମୟରେ ଖୋଲା ରହିବ ଓ ପାଣିର ଉପଲବ୍ଧତା ଯାଞ୍ଚ ଓ ସୁନିଶ୍ଚିତ କରାଯିବ ଏବଂ ପର୍ଯ୍ୟାପ୍ତ ଓଆରଏସ୍ ପ୍ୟାକେଟ୍ ମଧ୍ୟ ଉପଲବ୍ଧ ହେବ।  ନିରବଚ୍ଛିନ୍ନ ବିଜୁଳି ଯୋଗାଣ ବଜାୟ ରଖିବାକୁ ଶକ୍ତି ବିଭାଗ ପକ୍ଷରୁ ବିତରଣ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଜାରି କରିବ ବୋଲି ଏସଆରସି ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଶୁକ୍ରବାରଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ପଶ୍ଚିମା ଝଡ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ୨୬ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ । ୨୪ ତାରିଖରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Latest Posts

Don't Miss