spot_img

Latest Posts

ମେଣ୍ଟ ସମ୍ଭାବନାକୁ ନେଇ ବିଜେଡି ପ୍ରତିକ୍ରିୟା, ରାଜ୍ୟ ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ତାହା କରାଯିବ

ଭୁବନେଶ୍ୱର : ବିଜେପି ଓ ବିଜେଡି ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନରେ ମେଣ୍ଟ ହୋଇପାରେ । ଏଭଳି ଚର୍ଚ୍ଚାକୁ ବଳ ଦେଇଥିଲା ବୁଧବାର ଦିନ ଭୁବନେଶ୍ୱର ଓ ନୂଆଦିଲ୍ଲୀରେ ଦୁଇ ଦଳଙ୍କର ହାଇଲେଭଲ ମିଟିଂ । ଅପରାହ୍ନରେ ଭୁବନେଶ୍ୱରରେ ବିଜେଡିର ବରିଷ୍ଠ ନେତୃତ୍ୱ ନବୀନ ନିବାସର ଏକାଠି ହୋଇଥିଲେ । ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ରାଜ୍ୟ ବିଜେପିର ନେତା କେନ୍ଦ୍ରୀୟ ନେତୃତ୍ୱ ସହିତ ସଂଧ୍ୟାରେ ବୈଠକ କରିଥିଲେ । ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏକ ପ୍ରେସ ବିଜ୍ଞପ୍ତି ମାଧ୍ଯମରେ ଦଳର ଆଭିମୁଖ୍ଯ ନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ ତଥା ସାଂସଦ ମାନସ ମଙ୍ଗରାଜ । ୨୦୩୬ ଓଡିଶାକୁ ୧୦୦ ବର୍ଷ ପୂର୍ତ୍ତି ପାଇଁ ମୁଖ୍ଯମନ୍ତ୍ରୀ ଯେଉଁ ଲକ୍ଷ୍ଯ ଧାର୍ଯ୍ୟ କରିଛନ୍ତି ତାହାକୁ ହାସଲ କରିବା ପାଇଁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଯେଉଁ ନିଷ୍ପତ୍ତି ଆବଶ୍ଯକ ସେହି ନିଷ୍ପତ୍ତି ବିଜେଡି ନେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ଏହାରି ଭିତରେ ସଂଧ୍ୟା ବେଳେ ବିଜେଡି ତରଫରୁ ଆସିଥିଲା ପ୍ରତିକ୍ରିୟା । ନବୀନ ନିବାସରୁ ବୈଠକରୁ ବାହାରି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ କହିଥିଲେ ଯେ, ରାଜ୍ଯ ସ୍ବାର୍ଥ ଅନୁସାରେ ନିଷ୍ପତ୍ତି ନିଆଯିବ । ଠିକ ସମୟରେ ଠିକ ନିଷ୍ପତ୍ତି ନିଆଯିବ । ସେହିପରି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି, ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ଏବଂ ବିଭିନ୍ନ ଦିଗ ନେଇ ଆଲୋଚନା ହୋଇଛି । ଓଡ଼ିଶା ଆଜି ସଫଳତା ପାଇ ଚାଲିଛି । ରାଜ୍ଯକୁ ଉଚ୍ଚତର ସୋପାନକୁ ନେବା ପାଇଁ ପ୍ରୟାସ ଜାରି ରହିଛି । ୧୨ ବର୍ଷ ପରେ ଶହେ ବର୍ଷ ପୂରଣ କରୁଛି ସ୍ବତନ୍ତ୍ର ଓଡ଼ିଶା ଭାବେ । ଏଥିପାଇଁ ଯେଉଁ ମାଇଲଷ୍ଟୋନ ମୁଖ୍ଯମନ୍ତ୍ରୀ ଧାର୍ଯ୍ଯ କରିଛନ୍ତି ସେଥିପାଇଁ ଯାହା ଆବଶ୍ଯକ ପଡ଼ିବ ଦଳ ସେ ନିଷ୍ପତ୍ତି ନେବ ବୋଲି କହିଛନ୍ତି ଦେବୀ ମିଶ୍ର ।

ବୈଠକରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର, ମନ୍ତ୍ରୀ ଟୁକୁନି ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡି ସାଧାରଣ ସଂପାଦକ ସଞ୍ଜୟ ଦାଶ ବର୍ମା, ସାଂସଦ ମାନସ ମଙ୍ଗରାଜ, ମନ୍ତ୍ରୀ ପ୍ରଦୀପ ଅମାତ, ପ୍ରୀତିରଞ୍ଜନ ଘଡେ଼ଇ, ପ୍ରତାପ ଦେବ, ଉଷା ଦେବୀ, ବିକ୍ରମ ଆରୁଖ, ଜଗନ୍ନାଥ ସାରକା, ପ୍ରଫୁଲ ମଲ୍ଲିକ, ଅତୁନ ସବ୍ୟସାଚି ନାୟକ, ବରିଷ୍ଠ ଉପସଭାପତି ଦେବୀ ମିଶ୍ର, ବିଧାୟକ ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ମେଣ୍ଟ ସମ୍ଭାବନା ଉପରକେ ପ୍ରତିକ୍ରିୟା ରଖି ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ କହିଥିଲେ ଯେ, ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ମେଣ୍ଟ ହେବ କି ନାହିଁ ତାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତି ନେବ । ବୈଠକରେ ସବୁ ଲୋକସଭା ଆସନ ଓ ବିଧାନସଭା ଆସନ ନେଇ ଆଲୋଚନା ହୋଇଥିଲା ବୋଲି ସେ କହିଥିଲେ । ତେବେ ମେଣ୍ଟକୁ ନେଇ ସେ ସିଧାସଳଖ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

Latest Posts

Don't Miss