spot_img

Latest Posts

ମୋ ବୁଥ ଆପର ଶୁଭାରମ୍ଭ; ଏଣିକି ଆପ୍ ଜରିଆରେ ନିଜ ବୁଥ୍ ସମ୍ପର୍କରେ ଜାଣିପାରିବେ ଭୋଟର

ଭୁବନେଶ୍ୱର: ଭୁବନେଶ୍ୱର ସହିତ ଖୋର୍ଦ୍ଧା ଜିଲ୍ଲାର ସବୁ ନିର୍ବାଚନମଣ୍ଡଳି ପାଇଁ ‘ମୋ ବୁଥ ଆପ୍’ର ଶୁଭାରମ୍ଭ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ଏହି ଆପ୍ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହୋଇଛି। ଭୁବେନେଶ୍ୱର ଭୋଟରମାନେ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି। ସେମାନଙ୍କ ସୁବିଧା ପାଇଁ ଏହି ଆପ୍ ପ୍ରସ୍ତୁତ କରାଯାଇଛି ।

ଏହି ଆପ୍ ଦ୍ବାରା ଭୁବନେଶ୍ୱରରେ ସହଜରେ ପୋଲିଂ ବୁଥ ପାଇପାରିବେଭୋଟର। ଗୁଗୁଲ ମ୍ଯାପ୍ ଦ୍ବାରା ଜାଣିପାରିବେ ବୁଥ୍ । କେଉଁ ବୁଥରେ କେତେ ଭିଡ଼ ଅଛି, ଭୋଟର ଜାଣିପାରିବେ। ପୋଲିଂ ପାର୍ଟି ଗଲେ କି ନାହିଁ, ମକପୋଲ ଠିକ ସମୟରେ ହେଲାକି ନାହିଁ, ସନ୍ଧ୍ୟା ବେଳେ ପୋଲିଂ ସାରିକି ପୋଲିଂ ପାର୍ଟି ବାହାରିଲେ କି ନାହିଁ, ଏହି ଆପ୍ ଦ୍ୱାରା ଜାଣିହେବ। କୌଣସି ପୋଲିଂ ସମସ୍ୟା ଥିଲେ ମଧ୍ଯ ଜାଣି ହେବ।

ବିଶେଷକରି ଆଇନ ଶୃଙ୍ଖଳା, ଇଭିଏମ୍ ସମସ୍ୟା ବିଷୟରେ ମୋ ବୁଥ ଆପ୍ ଦ୍ୱାରା ଭୋଟର ଜାଣି ପାରିବେ। ଏହି ଆପ୍ ପ୍ରସ୍ତୁତ ପାଇଁ ମୁଖ୍ଯ ନିର୍ବାଚନ ଅଧିକାରୀ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ଧନ୍ଯବାଦ ଦେଇଛନ୍ତି। ମୁଖ୍ଯ ନିର୍ବାଚନ ଅଧିକାରୀ କହିଛନ୍ତି, ପ୍ରଥମ ଥର ପାଇଁ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳିର ୧୧୨ ନମ୍ବର ବୁଥ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ।

ତେବେ ପ୍ରଥମ ପର୍ଯ୍ୟାୟରେ ୭୫ ଦଶମିକ ୬୮ ପ୍ରତିଶତ ମତଦାନ ହୋଇଛି। ଗତ ଥର ଅପେକ୍ଷା ୨ ପ୍ରତିଶତ ଭୋଟ ହାର ବଢିଛି। ବାଲଟ ପେପର ସଂଖ୍ୟା ମିଶିଲେ ଭୋଟ ପ୍ରତିଶତ ଆହୁରି ଅଧିକ ହେବ। କଳାହାଣ୍ଡିରେ ୭୭ ଦଶମିକ ୯୦, ନବରଙ୍ଗପୁରରେ ୮୨ ଦଶମିକ ୧୬, କୋରାପୁଟରେ ୭୭ ଦଶମିକ ୫୩, ଓ ବ୍ରହ୍ମପୁରରେ ୬୫ ଦଶମିକ ୫୧ ପ୍ରତିଶତ ମତଦାନ ହୋଇଛି। ସହରାଞ୍ଚଳରେ ଭୋଟ ହାର କମିଛି| ବ୍ରହ୍ମପୁର ସହରରେ ୫୫ ଦଶମିକ ୦୬ ପ୍ରତିଶତ ମତଦାନ ହୋଇଛି। ଚଳିତ ବର୍ଷ ଅଧିକ ମହିଳା ଭୋଟ ଦେଇଛନ୍ତି। ୨୪ ଲକ୍ଷ ୨୬ ହଜାର ମହିଳା ଭୋଟ ଦେଇଥିବା ବେଳେ ୨୩ ଲକ୍ଷ ୩୨ ହଜାର ପୁରୁଷ ଭୋଟ ଦେଇଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଭୋଟ ଦେବା ପାଇଁ ଅଧିକ ଆଗ୍ରହ ଦେଖାଇଥିଲେ ଭୋଟର। ଗାଁ ଗହଳିରେ ମତଦାତାଙ୍କ ଭିତରେ ଉତ୍ସାହ ଥିଲା। ପ୍ରଥମ ପର୍ଯ୍ୟାୟରେ ପାଣିପାଗ ମଧ୍ୟ ନିର୍ବାଚନ ପାଇଁ ଉପଯୋଗୀ ଥିଲା ବୋଲି ସିଇଓ କହିଛନ୍ତି।

 

Latest Posts

Don't Miss