ବାଲେଶ୍ୱର: ସିମୁଳିଆ ଥାନା ପାର୍ବତୀପୁର ଗାଁରେ ଦମ୍ପତିଙ୍କ ଆତ୍ମହତ୍ୟା। ମୃତକ ହେଲେ ମନୋଜ ମହାକୁଡ ଓ ସସ୍ମିତା ମହାକୁଡ। ବିଳମ୍ବିତ ରାତିରେ ଉଭୟ ପତି ପତ୍ନୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆତ୍ମହତ୍ୟାର କାରଣ ଜଣା ପଡ଼ିନଥିବା ବେଳେ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମନୋଜ ଓ ସସ୍ମିତା ଖାଇସାରି ଘରେ ଶୋଇଥିଲେ ।
ସସ୍ମିତାଙ୍କ ଭଉଣୀ ଓ ଭିଣୋଇ ଆସି ପହଞ୍ଚିବା ପରେ ଘର କବାଟ ବାଡେଇ ଡାକିଥିଲେ। ମାତ୍ର କବାଟ ନ ଖୋଲିବାରୁ ସନ୍ଦେହ କରି ପରିବାର ଲୋକ କବାଟକୁ ତାଡିଥିଲେ। କବାଟ ଖୋଲିବାରୁ ବିଦ୍ୟୁତ ତାରରେ ଦୁଇ ଜଣଙ୍କ ବେକରେ ଗୁଡାଇ ହୋଇଥିବା ଦେଖିବାକୁ ପାଇଥିଲେ। ଦୁଇ ଜଣ ବିଦ୍ୟୁତ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି। ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

