spot_img

Latest Posts

ନବୀନଙ୍କ ସିଧା କଥା, ମୋ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ

ଭୁବନେଶ୍ୱର: ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଉତ୍ତରାଧିକାରୀ ପ୍ରସଙ୍ଗ ଉପରେ ଉତ୍ତର ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍ ରହିଛି ଓ ତାଙ୍କ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ ବୋଲି ସେ କହିଛନ୍ତି । ଏହା ସହିତ ସେ ନିର୍ବାଚନ ପ୍ରଚାରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବ୍ୟକ୍ତିଗତ ଆକ୍ରମଣକୁ ନାପସନ୍ଦ କରି ଏଭଳି ପ୍ରଚାର ସହିତ ଓଡ଼ିଶାବାସୀ ଅନଭ୍ୟସ୍ତ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ପ୍ରକୃତ କ୍ଷମତା ତାଙ୍କ ପାଖରେ ନାହିଁ ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ମଧ୍ୟ ସ୍ପଷ୍ଟ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ସବୁ କ୍ଷମତା ମୋ ପାଖରେ ଅଛି ବୋଲି କହିଛନ୍ତି ନବୀନ।

କ୍ଷମତା ମୋ ପାଖରେ ଅଛି

ନିର୍ବାଚନ ପ୍ରଚାରରେ ଅସଲ କ୍ଷମତା ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ ବୋଲି ବିଜେପି ପ୍ରଚାର କରୁଥିଲା । ଗୁରୁବାର ଦିନ ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ନବୀନ ପଟ୍ଟନାୟକ ଏନେଇ ଥିବା ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି । ଓଡ଼ିଶାରେ ପ୍ରକୃତ କ୍ଷମତା କାହା ପାଖରେ ଅଛି? ଏଏନଆଇ ମୁଖ୍ୟ ସ୍ମିତା ପ୍ରକାଶଙ୍କ ଏହି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଭାବେ ମୋ ପାଖରେ ସବୁ କ୍ଷମତା ରହିଛି । ମୁଁ ସବୁବେଳେ କ୍ୟାବିନେଟ୍ ମିଟିଂରେ ଅଧ୍ୟକ୍ଷତା କରେ । ଆଜି ପର୍ଯ୍ୟନ୍ତ ଗୋଟିଏ ବି କ୍ୟାବିନେଟ୍ ମିଟିଂରେ ମୁଁ ଅନୁପସ୍ଥିତ ରହିନାହିଁ ।

ଉତ୍ତରାଧିକାରୀ କିଏ?

ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ଏହି ପ୍ରଶ୍ନର ଉତ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ଆଜି ସ୍ପଷ୍ଟ କରିଦେଇଛନ୍ତି । ଉତ୍ତରାଧିକାରୀ କିଏ ହେବ ବୋଲି ପ୍ରଶ୍ନର ଉତ୍ତର ଦେଇ ନବୀନ କହିଥିଲେ ଯେ, ମୋ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ। କାର୍ତ୍ତିକ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ବୋଲି ହେଉଥିବା ଚର୍ଚ୍ଚା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି । ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ ।

ସେହିଭଳି ଦଳରେ ଅନ୍ୟନେତାଙ୍କ ତୁଳନାରେ ପାଣ୍ଡିଆନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ନେଇ ଯେଉଁ ଆଲୋଚନା ହେଉଛି ତା’ଉପରେ ନିଜ ମତ ରଖି ନବୀନ କହିଥିଲେ ଯେ, ଦଳରେ ଅନ୍ୟ ନେତାମାନେ ଗୁରୁତ୍ୱପୂର୍ଣ୍ଣ ପଦରେ ଅଛନ୍ତି । ଅନେକ ମନ୍ତ୍ରୀ ଅଛନ୍ତି । ତେଣୁ ଏଭଳି ଚର୍ଚ୍ଚା ଠିକ ନୁହେଁ ।

ସ୍ୱାସ୍ଥ୍ୟକୁ ନେଇ କ’ଣ କହିଲେ ନବୀନ?

ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି କହିଛନ୍ତି । ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କରିଥିବା ଟିପ୍ପଣୀ ଉପରେ ମନ୍ତବ୍ୟ ଦେଇ ନବୀନ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ମୋ ସ୍ୱାସ୍ଥ୍ୟକୁ ନେଇ ଏତେ ଚିନ୍ତିତ ତେବେ ସେ ମୋତେ ଫୋନ୍ କରିପାରିଥାନ୍ତେ । ସାଧାରଣ ସଭାରେ କହିବା ଅପେକ୍ଷା ମୋତେ ସେ ବ୍ୟକ୍ତିଗତ ଭାବେ ଫୋନ୍ କରିପାରିଥାନ୍ତେ । ଯାହାର ଅର୍ଥ ହେଉଛି କେବଳ ଭୋଟ୍ ହାସଲ ପାଇଁ ସେ ଏଭଳି କରିଛନ୍ତି । ଏହି ଗୁଜବକୁ ଦିଲ୍ଲୀରେ ରହୁଥିବା ଜଣେ ବିଜେପି ନେତା ପ୍ରଚାର କରୁଛନ୍ତି । ମୋ ସ୍ୱାସ୍ଥ୍ୟ ଠିକ ଅଛି । ମୁଁ ଏହି ଖରାରେ ପ୍ରଚାର କରୁଛି । ମୋର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ । ଏହାକୁ ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ଅତିରଂଜିତ କରି ପ୍ରଚାର କରୁଛନ୍ତି ।

ନବୀନଙ୍କ ଟାର୍ଗେଟରେ ହିମନ୍ତ

ଓଡ଼ିଶାରେ ନିର୍ବାଚନ ପ୍ରଚାର କାଳରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପ୍ରଚାର ଶୈଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି । ଏକ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି ଯେ, ଓଡ଼ିଶାବାସୀ ଏଭଳି ପ୍ରଚାର ସହିତ ଅଭ୍ୟସ୍ତ ନୁହନ୍ତି । ଶର୍ମାଙ୍କ ପ୍ରଚାର ଅରୁଚିକର ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Latest Posts

Don't Miss