spot_img

Latest Posts

ସରିଲା ମନ୍ତ୍ରୀପଦ ବଣ୍ଟନ, ବାଚସ୍ପତି ପଦକୁ ନେଇ ଛିଡିପାରୁନି ଭାଗ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାରରେ ମନ୍ତ୍ରୀତ୍ବକୁ ନେଇ ଦ୍ବନ୍ଦ୍ବ କୌଣସି ପ୍ରକାରେ ସମାଧାନ ହୋଇଛି। ହେଲେ ବାଚସ୍ପତି ପଦକୁ ନେଇ ସରିପାରୁନି ଭାଗ। ୭୨ ଜଣିଆ କ୍ଯାବିନେଟରେ ଜେଡିୟୁକୁ ୨ଟି ଓ ଟିଡିପିକୁ ୨ଟି ମନ୍ତ୍ରୀପଦ ମିଳିଥିଲେ ବି ବାଚସ୍ପତି ପଦକୁ ନେଇ ଚାଲିଛି ଟଣାଓଟରା। ସମ୍ବିଧାନ ଅନୁସାରେ ନୂଆ ଲୋକସଭା ଅଧିବେଶନ ବସିବା ପୂର୍ବରୁ ବାଚସ୍ପତି ପଦ ଖାଲି ହୋଇଥାଏ।

ଜଣେ ମଧ୍ଯବର୍ତ୍ତୀକାଳୀନ ବାଚସ୍ପତି ନୂଆ ସାଂସଦମାନଙ୍କୁ ଶପଥ କରାଇଥାନ୍ତି। ପରେ ଲୋକସଭା ବାଚସ୍ପତି ନିର୍ବାଚିତ ହୋଇଥାନ୍ତି। ତେବେ ବାଚସ୍ପତି ନିର୍ବାଚନ ଲାଗି ସେପରି କୌଣସି ବିଧିବଦ୍ଧ ସର୍ତ୍ତ ନାହିଁ। ବୁଝାମଣା ଅନୁସାରେ ବାଚସ୍ପତି ନିର୍ବାଚିତ ହୋଇଥାନ୍ତି। ଗତ ଦୁଇଟି ଲୋକସଭାରେ ବିଜେପିର ସଂଖ୍ଯା ଗରିଷ୍ଠତା ହେତୁ ସୁମିତ୍ରା ମହାଜନ ଓ ଓମ ବିରଲାଙ୍କୁ ବାଚସ୍ପତି ନିର୍ବାଚିତ କରାଯାଇଥିଲା। ପ୍ରଶ୍ନ ଉଠୁଛି ଚଳିତ ଲୋକସଭାରେ କାହିକି ବାଚସ୍ପତି ପଦ ଉପରେ ଦିଆଯାଉଛି ଗୁରୁତ୍ବ। ସାମ୍ପ୍ରତିକ ରାଜନୀତିରେ ଏନ. ଚନ୍ଦ୍ରବାବୁ ନାଇଡୁ ଓ ନୀତୀଶ କୁମାର ହେଉଛନ୍ତି ପଲିଟିକାଲ ଭେଟେରାନ।

ଅତୀତ ଅଭିଜ୍ଞତାକୁ ଅନୁଧ୍ଯାନ କଲେ ଏହା ସ୍ପଷ୍ଟ ଯେ ଶାସନ କ୍ଷମତାରେ ଥିବା ଦଳରେ ସର୍ବଦା ବିଦ୍ରୋହ ଲାଗି ରହୁଛି। ବିଭାଜନ ସହ ସରକାରର ପତନ ଏକ ସାଧାରଣ ବ୍ଯାପାରରେ ପରିଣତ ହୋଇଛି। ଏକ୍ଷେତ୍ରରେ ଦଳ ବଦଳ ନିରୋଧ ଆଇନର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ଏବଂ ଏସଂକ୍ରାନ୍ତ ନିଷ୍ପତ୍ତି କ୍ଷେତ୍ରରେ ବାଚସ୍ପତି ସର୍ବେସର୍ବା। ସାଂସଦଙ୍କୁ ଅଯୋଗ୍ଯ କରିବା, ଦଳ ବଦଳ କରିଥିବା ସାଂସଦଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦେବାରେ ବାଚସ୍ପତି ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ବିଦ୍ରୋହ ରୋକିବାକୁ ବାଚସ୍ପତି ଜଣେ ପ୍ରମୁଖ ସାମ୍ବିଧାନିକ ପଦାଧିକାରୀ ହୋଇଥିବାରୁ ସେହି ପଦବୀକୁ ନେଇ ଚାଲିଛି ଟଣାଟଣି।

Latest Posts

Don't Miss