spot_img

Latest Posts

ନେପାଳରେ ବନ୍ୟା ବିଭିଷୀକା, ୧୭୦ ଟପିଲା ମୃତ୍ୟୁ ସଂଖ୍ୟା

କାଠମାଣ୍ଡୁ: ନେପାଳରେ ତାଣ୍ଡବ ରଚିଛି ବର୍ଷା । ଭୀଷଣ ବର୍ଷା ଯୋଗୁଁ  ନେପାଳରେ ପ୍ରବଳ ବନ୍ୟା ପରିସ୍ଥିତି ସହ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ୪ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ  ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। । ୧୩ଟି ଜିଲ୍ଲାର ୧୬ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି।  ମୃତ୍ୟୁ ସଂଖ୍ୟା ୧୭୦କୁ ଟପିଥିବା ବେଳେ ଏବେ ବି ୪୨ ଜଣ ନିଖୋଜ ଅଛନ୍ତି । ୩ ଦିନ ପାଇଁ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛି ପ୍ରଶାସନ।

ବନ୍ୟା ଓ ଭୂସ୍ଖଳନରେ ୩୨୨ ଘର ଓ ୧୬ ବ୍ରିଜ ଭାଙ୍ଗିଥିବା ସୂଚନା ରହିଛି । ଅନ୍ୟପକ୍ଷେ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଶୁକ୍ରବାର ଠାରୁ ନେପାଳର ପୂର୍ବ ଏବଂ ମଧ୍ୟ ଭାଗର ଅନେକ ଅଂଶ ଜଳମଗ୍ନ ହୋଇଯାଇଛି । ଏଥି ପାଇଁ ୫୬ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବା ସହ ନଦୀବନ୍ଧଗୁଡ଼ିକ ଉପରେ ସତର୍କ ନଜର ରଖାଯାଇଛି।

ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁଯାୟୀ, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୪୨ ଜଣ ନିଖୋଜ ଅଛନ୍ତି। ସମସ୍ତ ସୁରକ୍ଷା ଏଜେନ୍ସି ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିବା ସହ ସର୍ଚ୍ଚ ଅପରେସନ ମଧ୍ୟ ଚାଲିଛି। କର୍ତ୍ତୃପକ୍ଷ ବନ୍ୟା ସତର୍କ ସୂଚନା ଜାରି କରିବା ସହ ଯୁଦ୍ଧସ୍ତରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଜାରି ରଖିଛନ୍ତି । ନେପାଳ ସେନା ସମଗ୍ର ଦେଶରେ ୧୬୨ ଜଣଙ୍କୁ ବିମାନ ଯୋଗେ ଉଦ୍ଧାର କରିଛି।

ଜିଲ୍ଲା ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ  ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇ  ନଦୀବନ୍ଧ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ  କୋସି ବ୍ୟାରେଜ ନିକଟରେ ଯାନବାହନ ଚଳାଚଳ ବନ୍ଦ ରହିଛି। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନଦୀଗୁଡ଼ିକ ମଧ୍ୟରେ ଗଣ୍ଡକ, କୋସି, ବାଗମତୀ, ବୁଢ଼ୀ ଗଣ୍ଡକ, କମଳା ବାଲାନ, ମହାନନ୍ଦା ଏବଂ ଗଙ୍ଗା ନଦୀ ରହିଥିବାରୁ ଉତ୍ତର ବିହାରର ୮ଟି ଜିଲ୍ଲାର ୩୧ଟି ବ୍ଲକ୍‌ରେ ଉଦ୍‌ବେଗଜନକ ସ୍ଥିତି ଦେଖିବାକୁ ମିଳିଛି।

Latest Posts

Don't Miss