spot_img

Latest Posts

ତାପଜ ବିଦ୍ୟୁତ୍ କ୍ଷେତ୍ରରେ ନିବେଶ ହେବ ୧୭ ହଜାର ୮୩୩ କୋଟି, ସୃଷ୍ଟିହେବ ୬ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଔଦ୍ୟଗୀକରଣ ଏବଂ ନିଯୁକ୍ତି  ସୁଯୋଗ ସୃଷ୍ଟି କରିବା ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିଛି । ଓଡ଼ିଶା ସରକାର ଆଜି ୩ଟି ନିବେଶ ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟରେ ୧୭ ହଜାର ୮୩୩ କୋଟି ଟଙ୍କାର ନିବେଶ ହେବା ସହିତ ୬ ହଜାର ୫୩୯ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନର ସମ୍ମିଳନୀ କକ୍ଷରେ ହୋଇଥିବା ଏକ ବୈଠକରେ ଉଚ୍ଚ ସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ ଆଲୁମିନିୟମ, ଇସ୍ପାତ୍, ଏବଂ ତାପଜ ବିଦ୍ୟୁତ୍ ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ କରି ସର୍ବମୋଟ ୩ଟି ପ୍ରସ୍ତାବକୁ ସ୍ୱୀକୃତି ଦେବା ସହିତ ଏହି ସବୁ କ୍ଷେତ୍ରରେ ଓଡ଼ିଶାର ପ୍ରମୁଖ ସ୍ଥାନକୁ ଆହୁରି ସୁଦୃଢ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ବୈଠକରେ ମେକ୍ ଇନ୍ ଓଡ଼ିଶା ୨୦୧୬,ଏବଂ ୨୦୧୮ରେ ପ୍ରାପ୍ତ ହୋଇଥିବା ନିବେଶ ପ୍ରସ୍ତାବ ଗୁଡ଼ିକର ସମିକ୍ଷା କରିଥିଲେ । ବିଗତ ବର୍ଷ ଗୁଡ଼ିକରେ ଓଡ଼ିଶାର ଶିଳ୍ପାୟନ ଉଦ୍ୟମରେ ବିବିଧତାର ସମ୍ଭାବନା ଦେଖିବାକୁ ମିଳିଛି । ରସାୟନ ଏବଂ ପେଟ୍ରୋ କେମିକାଲ୍ସ କ୍ଷେତ୍ର, ପର୍ଯ୍ୟଟନ, ବସ୍ତ୍ର ତଥା ପରିଧାନ ଉଦ୍ୟୋଗ ଏବଂ ଖାଦ୍ୟ ପ୍ରକିୟାକରଣ ଭଳି ବିବିଧ କ୍ଷେତ୍ରରେ ଶିଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦିଗରେ ଅଗ୍ରଗତି ହୋଇଛି । ଶିଳ୍ପ ସଚିବ ହେମନ୍ତ ଶର୍ମା ମେକ୍ ଇନ ଓଡ଼ିଶା ୨୦୨୦ର ସଫଳତା ନିମନ୍ତେ ଏକ ଯୋଜନାର ବ୍ୟାଖ୍ୟା କରିଥିଲେ, ଯେଉଁଥିରେ ଶିଳ୍ପ ନିମନ୍ତେ ଉପଯୁକ୍ତ ଭିତ୍ତିଭୂମି, ଉପଯୁକ୍ତ ଯୋଜନା ଏବଂ ଏହି ସବୁର ପ୍ରସାରଣ ଦ୍ୱାରା ନିବେଶକଙ୍କୁ ଆକୃଷ୍ଠ କରିବାର ଉଦ୍ୟମ ଅନ୍ତର୍ଭୁକ୍ତ ରହିଛି ।

ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ପ୍ରସ୍ତାବ ମଧ୍ୟରେ ରହିଛି ହିଣ୍ଡାଲକୋ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ଦ୍ୱାରା ରାୟଗଡ଼ା ଜିଲ୍ଲାର କାନସାରୀଗୁଡ଼ା ଠାରେ ବର୍ଷକୁ ୨୦ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନାରୀ ପ୍ରକଳ୍ପ । ଏହା ୮ଶହ କୋଟି ଟଙ୍କା ବ୍ୟୟରେ ବିସ୍ତାପିତ ହେବ ଏବଂ ୪୨୫୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ଏନଟିପିସିର ତାଳଚେର ଠାରେ ଥିବା ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ସମ୍ପ୍ରସାରଣ ପ୍ରସ୍ତାବ ମଧ୍ୟ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଲାଭ କରିଛି । ଏଠାରେ ୭ ହଜାର ୬୯୮ କୋଟି ୪୬ ଲକ୍ଷ ଟଙ୍କାର ନିବେଶର ପ୍ରସ୍ତାବ ରହିଛି ।

ଏହା ସହିତ ରୁଙ୍ଗଟା ମାଇନ୍ସ ଲିମିଟେଡର ସୁନ୍ଦରଗଡ଼ ଜିଲ୍ଲାର କମଣ୍ଡା ଗାଁରେ ଥିବା ୨.୭ଲକ୍ଷ ଟନ୍ ବର୍ଷିକ ଉତ୍ପାଦନ କ୍ଷମତା ବିଶିଷ୍ଠ ଇସ୍ପାତ ଉତ୍ପାଦନ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ଏହି ସମ୍ପ୍ରସାରଣରେ ୨ ହଜାର ୧୩୫ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇ ୨ ହଜାର ୨୮୯ ବ୍ୟକ୍ତିଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଉଦ୍ୟୋଗର ବାର୍ଷିକ ଉତ୍ପାଦନ କ୍ଷମତା ୯ ଟନକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି ।

Latest Posts

Don't Miss