ନନ୍ଦିଘୋଷ ବ୍ୟୁରୋ: ପୁଣି ମଣିପୁର ଅଶାନ୍ତ। ଆଜି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେପଟେ ରାଜ୍ଯକୁ ଫେରିଛି ରାଜନୈତିକ ଅସ୍ଥିରତା। ବିଜେପି ସରକାର ଉପରୁ ସମର୍ଥନ ପ୍ରତ୍ଯାହାର କରିଛି ଏନପିପି। ୬୦ ସଦସ୍ଯ ବିଶିଷ୍ଟ ବିଧାନସଭାରେ ଏନଡିଏର ସଂଖ୍ଯା ରହିଛି ୫୩। ବିଜେପିର ୩୭ ସଦସ୍ଯ ଥିବାବେଳେ ଏନପିପିର ୭ ସଦସ୍ଯ ରହିଛନ୍ତି। ଏନପିଏଫର ୫ ସଦସ୍ଯ ରହିଛନ୍ତି। ହିଂସା ଏତେ ତୀବ୍ର ହୋଇଛି ଯେ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଘର ଉପରେ ମଧ୍ୟ ଆକ୍ରମଣ ଉଦ୍ୟମ ହୋଇଛି। ଉତ୍ୟକ୍ତ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲେ।
ସେମାନଙ୍କୁ ଘଉଡ଼ାଇବାକୁ ପୋଲିସକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା। ଜିରିବମ୍ ଜିଲ୍ଲାରେ ୬ ଜଣଙ୍କୁ ମୃତଦେହ ମିଳିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ହିଂସା ପରେ ପୂର୍ବ ଇମ୍ଫାଲ ଓ ପଶ୍ଚିମ ଇମ୍ଫାଲରେ କର୍ଫ୍ୟୁ ଜାରି କରାଯାଇଛି। ସ୍ଥିତି ବିଗୁଡୁଥିବାରୁ ୭ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଉତ୍ତର-ପୂର୍ବ ରାଜ୍ୟରେ ଜାରି ରହିଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୋବାଲ, କାକଚିଙ୍ଗ, କାଙ୍ଗପୋକପି ଏବଂ ଚୁରାଚାନ୍ଦପୁର ଜିଲ୍ଲାରେ ଦୁଇ ଦିନ ପାଇଁ ଇଣ୍ଟରନେଟ ବନ୍ଦ କରିଦିଆଯାଇଛି।

