spot_img

Latest Posts

ଜଣେ ଅପରାଧୀ ଯଦି ସରକାରୀ ଚାକିରି କରିପାରିବେ ନାହିଁ, ଜଣେ ଦୋଷୀ ନେତା କିପରି ନିର୍ବାଚନ ଲଢ଼ିପାରିବେ: ସୁପ୍ରିମକୋର୍ଟଙ୍କ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ରାଜନୀତିର ଅପରାଧୀକରଣକୁ ସୁପ୍ରିମକୋର୍ଟ ଏକ ବଡ଼ ପ୍ରସଙ୍ଗ ବୋଲି କହିବା ସହ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଯଦି କୌଣସି ଅପରାଧୀ ସରକାରୀ ଚାକିରି କରିପାରିବେ ନାହିଁ, ତେବେ ସାଂସଦ, ବିଧାୟକ ଓ ମନ୍ତ୍ରୀ କିପରି ହୋଇପାରିବ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି । ଜଷ୍ଟିସ ଦୀପାଙ୍କର ଦତ୍ତା ଓ ଜଷ୍ଟିସ ମନମୋହନଙ୍କ ପୀଠ ଏହି ପ୍ରସଙ୍ଗରେ ଦେଶର ଆଟର୍ଣ୍ଣି ଜେନେରାଲଙ୍କ ଠାରୁ ସହାୟତା ମାଗିଛନ୍ତି । ଦେଶରେ ଏପରି ଅନେକ ବିଧାୟକ ଓ ସାଂସଦ ରହିଛନ୍ତି, ଯେଉଁମାନଙ୍କ ନାମରେ ଅପରାଧିକ ମାମଲା ଦାୟର ହୋଇଛି । ଏହାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କୌଣସି ବ୍ୟକ୍ତି ସଂସଦକୁ କିପରି ଫେରିପାରିବେ? ସୁପ୍ରିମକୋର୍ଟର ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟଙ୍କ ଦ୍ବାରା ଦ୍ବାୟର ଜନହିତ ଯାଚିକା ଉପରେ ଶୁଣାଣି କରି କୋର୍ଟ ଏହି ପ୍ରଶ୍ନ କରିଛନ୍ତି । ଦେଶରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ଶୀଘ୍ର ଶୁଣାଣି କରାଯିବା ସହ ଦୋଷୀ ନେତାଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲାଗୁ କରିବାକୁ ଯାଚିକାରେ ଅନୁରୋଧ କରାଯାଇଛି ।

ଜଷ୍ଟିସ ଦୀପାଙ୍କର ଦତ୍ତା ଓ ଜଷ୍ଟିସ ମନମୋହନଙ୍କ ପୀଠ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ଆଟର୍ଣ୍ଣି ଜେନେରାଲଙ୍କ ଠାରୁ ସହାୟତା ମାଗିଛନ୍ତି । ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଭାରତୀୟ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ କୁହାଯାଇଛି । ଯେତେବେଳେ ଜଣେ ଦୋଷୀ ସାବ୍ୟସ୍ତ ହୁଅନ୍ତି ଓ ତାଙ୍କର ଦୋଷିସିଦ୍ଧି କାଏମ୍ ରହେ, ସେ କ୍ଷେତ୍ରରେ ସେ କିପରି ସଂସଦ ଓ ବିଧାନମଣ୍ଡଳକୁ ଫେରିପାରିବେ? ଏଥିପାଇଁ ସେମାନଙ୍କୁ ଜବାବ ଦେବାକୁ ପଡ଼ିବ । ଏନେଇ ଆଇନର ସମୀକ୍ଷା କରାଯିବ ବୋଲି କୋର୍ଟ କହିଛନ୍ତି । ଯଦି କୌଣସି ସରକାରୀ କର୍ମଚାରୀ ଭ୍ରଷ୍ଟଚାର ବା ରାଜ୍ୟ ପ୍ରତି ନିଷ୍ଠାହୀନ କାରଣରୁ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ସେବା ପାଇଁ ଉପଯୁକ୍ତ ବୋଲି ଗ୍ରହଣ କରାଯିବ ନାହିଁ । ତେଣୁ ସେ ମନ୍ତ୍ରୀ କିପରି ହୋଇପାରିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

Latest Posts

Don't Miss