ବିପଦରେ ଓଡ଼ିଆ ଅସ୍ମିତା, ବିଜୁ ବାବୁଙ୍କୁ ଇତିହାସରୁ ହଟାଇଦେବା ପାଇଁ ଚେଷ୍ଟା କରୁଛି ବିଜେପି

ବାଲେଶ୍ୱର: ବିପଦରେ ଓଡ଼ିଆ ଅସ୍ମିତା । ବିଜୁ ବାବୁଙ୍କୁ ଅପମାନ କରି ଇତିହାସରୁ ହଟାଇଦେବା ଭଳି ଘୃଣ୍ୟ ରାଜନୀତି କରିବାକୁ ଚେଷ୍ଟା କରୁଛି ବିଜେପି । ଓଡ଼ିଆଙ୍କ ପ୍ରତିଟି ହୃଦୟରେ ବିଜୁ ପଟ୍ଟନାୟକ ଅଛନ୍ତି । ଚାହିଁଲେ ବି ଏହାକୁ କେହି ବାହାର କରିପାରିବେନି । ବାଲେଶ୍ୱର ଜିଲ୍ଲାରେ ବିଜୁଙ୍କ ଶ୍ରଦ୍ଧାବାର୍ଷିକ ପାଳନ ଅବସରରେ ଏପରି ଚେତାବନୀ ଦେଇଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର । ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ବିଜେଡି ପକ୍ଷରୁ ବାଲେଶ୍ୱର ଗାନ୍ଧିସ୍ମୃତି ଭବନ ପରିସରରେ ସାଧାରଣ ସଭାର ଆୟୋଜନ ହୋଇଥିଲା ।  ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ପୁର୍ବତନ ରେମୁଣା ବିଧାୟକ ସୁଦାମ ପରିଡ଼ା, ପୁର୍ବତନ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ନେତୃତ୍ୱରେ ସଦର, ରେମୁଣା ଓ ନୀଳଗିରିର ଶତାଧିକ ବିଜେଡି କର୍ମୀ ଓ ବୁଦ୍ଧିଜୀବି, ସରପଞ୍ଚ, ସମିତିସଭ୍ୟ, କାଉନସିଲର ପ୍ରମୁଖ ସାମିଲ ହୋଇଥିଲେ।