spot_img

Latest Posts

ଜେଲରେ ବଢୁଛି କ୍ୟାନ୍ସର, କିଡନୀ ଓ ଉଚ୍ଚ ରକ୍ତଚାପ, ସୁଧାର ଗୃହରେ ସୁଧୁରୁନି ରୋଗ ସମସ୍ୟା

ଭୁବନେଶ୍ୱର: ୨୧ ଶହ ରୋଗୀଙ୍କ ପାଇଁ ଜଣେ ମାତ୍ର ମାନସିକ ରୋଗୀ ଚିକିତ୍ସକ । ଜେଲରେ ବଢୁଛି କ୍ୟାନ୍ସର, କିଡନୀ ଓ ଉଚ୍ଚ ରକ୍ତଚାପ । ସୁଧାର ଗୃହରେ ସୁଧୁରୁନି ରୋଗ ସମସ୍ୟା । ଏ ତଥ୍ୟ ଯେତିକି ଗମ୍ଭୀର, ସେତିକି ଚିନ୍ତାଜନକ ମଧ୍ୟ। ରାଜ୍ୟରେ ଥିବା ୮୭ ଜେଲରେ ରହିଛନ୍ତି ୨୦୫୪ ମାନସିକ ରୋଗୀ । କାଲକୋଠରୀ ଭିତରେ ରହି ଅବସାଦଗ୍ରସ୍ତ ହୋଇଯାଉଛନ୍ତି। କେତବେଳେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ତ ଆଉ କେତବେଳେ ପାଣି ଫୋଟକା ଭଳି ଚାଲିଯାଉଛି ଅନ୍ତେବାସୀଙ୍କ ଜୀବନ । ବିଗତ ୫ ବର୍ଷରେ ଜେଲ ଭିତରେ ୩୭୦ ରୁ ଅଧିକ ବନ୍ଦୀଙ୍କ ମୃତ୍ୟୁ ହୋଇଛି । କିନ୍ତୁ ପରିତାପର ବିଷୟ ହେଉଛି ପାଖାପାଖି ୨୧ ଶହ ରୋଗୀଙ୍କ ପାଇଁ ରହିଛନ୍ତି ଜଣେ ମାତ୍ର ମାନସିକ ରୋଗ ବିଶେଷଜ୍ଞ। ଯାହାକୁ ନେଇ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଇଛି । ଜେଲ ବିଭାଗ ତୁରନ୍ତ ଏଭଳି ଗୁରୁତର ସମସ୍ୟା ସମ୍ପର୍କରେ ଅବଗତ ହେବା ସହ, ଜିଲ୍ଲା ପିଛା ଜଣେ ମାନସିକ ରୋଗୀ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି।
୨୫ଟି ଜେଲରେ ୭୦ ଜଣ ଏଚଆଇଭି ଆକ୍ରାନ୍ତ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଡ୍ସ ରୋଗୀଙ୍କ ନିୟମିତ ଚିକିତ୍ସା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଜେଲ ଡିଜି । ୨୪୯ ଜଣ ହୃଦଘାତ ରୋଗୀ , ୧୮୪୫ ଜଣ ଉଚ୍ଚ ରକ୍ତଚାପ ରୋଗୀ ସାରା ଓଡ଼ିଶାର ଜେଲରେ ରହିଛନ୍ତି । ସେପରି ୧୦ ଜଣ କ୍ୟାନ୍ସର ରୋଗୀ ଓ ୧୪୦ କିଡନୀ ରୋଗୀ ଚିକିତ୍ସିତ ହେଉଛନ୍ତି। ସେପଟେ ମାନସିକ ରୋଗ ଚିକିତ୍ସକଙ୍କ ନିଯୁକ୍ତି ବିଳମ୍ଭ ହେଉଥିବା ବେଳେ ଜେଲରେ ମନସ୍ତତ୍ୱବିତଙ୍କୁ ନିୟୋଜିତ କରାଯିବାର ଆବଶ୍ୟକତା ଥିବା କହିଛନ୍ତି ବିଶେଷଜ୍ଞ ।
ଜେଲକୁ ସୁଧାରଗୃହ କରିବା ପାଇଁ ପୂର୍ବରୁ ଅନେକ ପ୍ରୟାସ ହୋଇଥିଲା । ବ୍ୟାୟାମ, ଯୋଗ ଶିକ୍ଷା, ପ୍ରଣାୟମ, ସିନେମା, କ୍ରୀଡା , ପ୍ରବଚନ, ଆଧ୍ୟାତ୍ମକ ଶିକ୍ଷାର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଏବେ ଏସବୁ ହେଉନଥିବାରୁ ଅନ୍ତେବାସୀ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ।

Latest Posts

Don't Miss