spot_img

Latest Posts

ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ତରବର: ହେଲେ ସମସ୍ୟା ସମାଧାନ କରିବାକୁ କୁନ୍ଥୁକୁନ୍ଥୁ ସରକାର

ନନ୍ଦିଘୋଷ ବ୍ୟୁରୋ: ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ତରବର। ହେଲେ ସମସ୍ୟା ସମାଧାନ କରିବାକୁ କୁନ୍ଥକୁନ୍ଥ ସରକାର। ସଫ୍ଟଓ୍ବେର ସମସ୍ୟା, ପରିଚାଳନାଗତ ତୃଟି ଓ ପ୍ୟାକେଜ୍ ଦରକୁ ନେଇ ଘରୋଇ ହସ୍ପିଟାଲ ମୂଳରୁ ଉଠାଇଲେଣି ପ୍ରଶ୍ନ। ସ୍ବାସ୍ଥ୍ୟ ବିଭାଗ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିଥିବା ବେଳେ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନେଇ ଉପୁଜିଲାଣି ଦ୍ବନ୍ଦ। କେତେବେଳେ ମନ୍ତ୍ରୀ କହୁଛନ୍ତି କିଛି ସମସ୍ୟା ନାହିଁ, ପୁଣି କେତେବେଳେ କହୁଛନ୍ତି ସମାଧାନ ପାଇଁ ଉଦ୍ୟମ ହେଉଛି। ବିଜେଡି ଓ କଂଗ୍ରେସ ମଧ୍ୟ ଆୟୁଷ୍ମାନ ଯୋଜନାର କାର୍ଯ୍ୟକାରିତାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଆଲୋଚନା ପରେ ସମାଧାନ ନେଇ ଘରୋଇ ହସ୍ପିଟାଲ ଆଶା ବାନ୍ଧିଛନ୍ତି। ହେଲେ ପ୍ୟାକେଜ୍ ଦର ନ ବଢିଲେ ରୋଗୀ ଚିକିତ୍ସା କଷ୍ଟକର ବୋଲି କହିଛନ୍ତି।

ରାଉରକେଲାରୁ ବଲାଙ୍ଗୀର। ଆୟୁଷ୍ମାନ ଯୋଜନାରେ ରୋଗୀ ହନ୍ତସନ୍ତର ଲମ୍ବା ତାଲିକା। ଏବେ ଏହି ତାଲିକାରେ ଯୋଡ଼ି ହୋଇଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର କ୍ୟାନସର ପୀଡ଼ିତାଙ୍କ କାହାଣୀ। ଆୟୁଷ୍ମାନ କାର୍ଡ ଯୋଗୁଁ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ଗୁରୁତର ରୋଗୀ। ପକେଟରୁ ଅର୍ଥ ଦେଇ ଚିକିତ୍ସା ହେବାକୁ ପଡୁଛି। ନହେଲେ ଏପଟ ସେପଟ ଝମେଲାରେ ରୋଗୀର ଜୀବନ ବି ଯାଉଛି। ଏହାର କାରଣ ହେଉଛି ବ୍ୟବସ୍ଥାରେ ଥିବା ତ୍ରୁଟି। ସଫ୍ଟଓ୍ବେର ସମସ୍ୟା ଯୋଗୁଁ ରୋଗୀ ପଞ୍ଜିକରଣରୁ ଡିସଚାର୍ଜ ଯାଏଁ ଅହେତୁକ ବିଳମ୍ବ ହେଉଛି। ତାସାଙ୍ଗକୁ ପରିଚାଳନାଗତ ତୃଟି ଯୋଗୁଁ ବିଭିନ୍ନ ରୋଗର ଚିକିତ୍ସା ହୋଇପାରୁନି। ଏହାସହ ପ୍ୟାକେଜ୍ ଦର କମ୍ ଯୋଗୁଁ ଚିକିତ୍ସା ପାଇଁ ଇଚ୍ଛା ପ୍ରକାଶ ପ୍ରକାଶ କରୁନାହାନ୍ତି ଘରୋଇ ହସ୍ପିଟାଲ। ସମସ୍ୟାର ସମାଧାନ ପାଇଁ ସ୍ବାସ୍ଥ୍ୟ ବିଭାଗର ଟେକ୍ନିକାଲ ଟିମ୍ ଘରୋଇ ହସ୍ପିଟାଲ ସଂଘ ସହ ଆଲୋଚନା କରିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଥିଲେ ଆୟୁଷ୍ମାନ ଯୋଜନା ଲାଗୁ କଲେ କଣ ଅସୁବିଧା ହେବ। ସେଥିପାଇଁ ଆୟୁଷ୍ମାନ କାର୍ଡ ବଦଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ। ଏବେ ଆୟୁଷ୍ମାନ କାର୍ଡ ଲାଗୁ ହେବା ପରେ ହନ୍ତସନ୍ତ ହେଉଛନ୍ତି ରୋଗୀ। ସରକାର ପଦକ୍ଷେପ ନିଅନ୍ତୁ, ସମସ୍ୟାର ସମାଧାନ କରନ୍ତୁ ବୋଲି ବିଜେଡି ଦାବି କରିଥିବା ବେଳେ, କଂଗ୍ରେସ ମଧ୍ୟ ଆୟୁଷ୍ମାନ ଯୋଜନାରେ ଥିବା ତୃଟିକୁ ସୁଧାରିବା ପାଇଁ ସରକାରଙ୍କ ମନ୍ଥର ଗତିକୁ ସମାଲୋଚନା କରିଛି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି କାର୍ଡରେ କିଛି ଦ୍ବନ୍ଦ ନାହିଁ। ହେଲେ ଟେକ୍ନିକାଲ ସମସ୍ୟା ରହିଛି। ଘରୋଇ ହସ୍ପିଟାଲର ପ୍ୟାକେଜ୍ ଦର ବୃଦ୍ଧି ନେଇ ବି ବିଚାର କରାଯାଉଛି। ସମସ୍ୟାକୁ ମନ୍ତ୍ରୀ ସ୍ବୀକାର କରିଥିବା ବେଳେ ସମାଧାନ କେବେ ଓ କିପରି କରାଯିବ, ସେ ବାବଦରେ କିଛି କହିନାହାନ୍ତି।

ଡବଲ ଇଞ୍ଜିନ ସରକାରରେ କେନ୍ଦ୍ରକୁ ଖୁସି କରିବାକୁ ତରବରିଆ ଭାବେ ଆୟୁଷ୍ମାନ ଯୋଜନା ଲାଗୁ କରିଦେଲା ଓଡ଼ିଶା। ହେଲେ ଆରମ୍ଭରୁ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ। ଯାବତୀୟ ସମସ୍ୟା କାରଣରୁ ଆୟୁଷ୍ମାନ କାର୍ଡ ଦେଖିଲେ ବିଭିନ୍ନ ବାହାନା ଦେଖାଇ ରୋଗୀଙ୍କୁ ଫେରାଇ ଦେଉଛନ୍ତି ଘରୋଇ ହସ୍ପିଟାଲ। ନନ୍ଦିଘୋଷ ଟିଭିରେ ଲଗାତାର ଖବର ପ୍ରସାରଣ ପରେ ସରକାର ଯଦିଓ ସଚେତନ ହୋଇଛନ୍ତି, ହେଲେ ଏ ଯାଏଁ ବାହାରିନି ସମାଧାନର ବାଟ।

Latest Posts

Don't Miss