ଜୁନ ୩୦ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କାମ ସାରିବାକୁ ରାଜସ୍ବ ବିଭାଗର ନିର୍ଦ୍ଦେଶ, ସରକାରଙ୍କୁ ଘେରିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ଜୁନ ୩୦ ସୁଦ୍ଧା ପ୍ରଶାସନିକ ସୀମା ପୁନଃ ନିର୍ଦ୍ଧାରଣ କାମ ସାରିବାକୁ ରାଜସ୍ବ ବିଭାଗ ନିଷ୍ପତ୍ତି ନେବା ପରେ ଆରମ୍ଭ ହୋଇଛି ରାଜନୀତି । ହାତରେ ଦୁଇ ମାସରୁ କମ ସମୟ । ଏହା ଭିତରେ ନୂତନ ରାଜସ୍ବ ଗାଁ କି ନୂତନ ପୌର ସଂସ୍ଥା ଗଠନ ହେବାର ଆଶା ମଉଳିଛି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ନିଜ ଇଚ୍ଛା ଅନୁସାରେ ଗାଁ ଓ ପୌର ସଂସ୍ଥା ଗଢିବାକୁ ଏହା ସରକାରଙ୍କ ଷଡ଼ଯନ୍ତ୍ର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ସରକାର ବି ଏତେ କମ ସମୟ ଭିତରେ ନୂତନ ରାଜସ୍ବ ଗାଁ କି ନୂତନ ପୌର ସଂସ୍ଥା ଗଠନ କରିବା ନେଇ ସ୍ପଷ୍ଟ ଚିତ୍ର ଦେଇ ପାରିନାହାନ୍ତି ।
ମଉଳିଲା ଆଶା । ପଡ଼ା ଗାଁକୁ ରାଜସ୍ବ ଗାଁ ମାନ୍ୟତା ପାଇଁ ଅପେକ୍ଷାରେ ଅନ୍ତ ଘଟିବାର ସମ୍ଭାବନା କମ୍ । ସେହିପରି ନୂତନ ଏନଏସି କି ପୌର ପରିଷଦ ଗଠନର ବି ଆଶା ନୋହିଲା । ଏପରିକି ପଦମପୁରକୁ ଜିଲ୍ଲା ମାନ୍ୟତା ମିଳିବା ଆଶା ବି ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି । କାରଣ ହଠାତ୍ ରାଜସ୍ବ ବିଭାଗ ଜୁନ ୩୦ ସୁଦ୍ଧା ପ୍ରଶାସନିକ ସୀମା ପୁନଃ ନିର୍ଦ୍ଧାରଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛି । ନବୀନ ପଟ୍ଟନାୟକ ସମୟରେ ଅନେକ ପଡ଼ା ଗାଁ ରାଜସ୍ବ ଗାଁ ଓ ନୂତନ ଏନଏସି ଓ ପୌର ପରିଷଦ ପାଇଁ ଘୋଷଣା ହୋଇଥିଲା । ହେଲେ ସରକାର ବଦଳିବା ପରେ ଏହି କାମକୁ ଆଉ ଆଗେଇ ନାହାନ୍ତି ଡବଲ ଇଂଜିନ ସରକାର । ସେପଟେ ଲୋକଙ୍କ ଅପେକ୍ଷାକୁ ରାଜସ୍ବ ବିଭାଗର ଛାଟ ପଡ଼ିଛି । ହାତରେ ଦୁଇ ମାସରୁ କମ ସମୟ ବାକି ଅଛି । ଏତେ କମ୍ ସମୟରେ କିପରି ପ୍ରଶାସନିକ ସୀମା ପୁନଃ ନିର୍ଦ୍ଧାରଣ ହେବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ପଞ୍ଚାୟତ ନିର୍ବାଚନ ଓ ଦଳୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଜେପି ସୀମା ପୁନଃ ନିର୍ଦ୍ଧାରଣରେ ବ୍ରେକ ଲଗାଉଥିବା ବିଜେଡି ଅଭିଯୋଗ କରିଛି । ଜନଗଣନା ପରେ ଏ ସବୁ କାର୍ଯ୍ୟକ୍ରମ ଆଗେଇବାକୁ କଂଗ୍ରେସ ଦାବି କରିଛି । ନୂତନ ରାଜସ୍ବ ଗାଁ କି ନୂତନ ପୌର ସଂସ୍ଥା ଗଠନ ନ ହେଲେ ଲୋକଙ୍କ କ୍ଷତି ହେବ । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ହାରିଲେ ମନ୍ତ୍ରିମଣ୍ଡଳ ଟଳମଳ ହେବା ଭୟ ଥିବା କଟାକ୍ଷ କରିଛନ୍ତି ବିରୋଧୀ ।
ଆସନ୍ତା ଜୁଲାଇରେ ଜନଗଣନା ହେବା ନେଇ ସରକାର ସ୍ପଷ୍ଟ କରିଛନ୍ତି । ହେଲେ ଏ କଥା ସ୍ପଷ୍ଟ କରି ପାରୁ ନାହାନ୍ତି କି ଏତେ କମ୍ ସମୟ ଭିତରେ ନୂତନ ରାଜସ୍ବ ଗାଁ କି ନୂତନ ପୌର ସଂସ୍ଥା ଗଠନ ହେବ କି ନାହିଁ । ଆବେଦନ ଗୁଡ଼ିକୁ ମଞ୍ଜୁରୀ ଦେବାକୁ ଚେଷ୍ଟା କରିବେ ବୋଲି ସରକାର ସଫେଇ ଦେଇଛନ୍ତି ।
ବିଜେପି ସରକାରକୁ ୧୦ ମାସ ପୂରିଲାଣି । ଏହି ସମୟ ଭିତରେ ପୁରୁଣା ସରକାରଙ୍କ ଗୋହି ଖୋଳାରୁ ନିବୃତ ରହି ବାକି ପଡ଼ିଥିବା ଯୋଜନାକୁ ଆଗେଇ ଥିଲେ, ଆଜି ଠିକ୍ ସମୟରେ ସୀମା ପୁନଃ ନିର୍ଦ୍ଧାରଣ କାମ ସରିଥାନ୍ତା । ଏବେ ଡେଡଲାଇନ ମିଳି ଗଲାଣି । ବାହାଘର ଦିନ ବାଈଗଣ ରୁଆ ପରି ତରବରିଆ ଭାବେ କାମ କଲେ ଭବିଷ୍ୟତ ପାଇଁ ସୁଫଳ ମିଳିବନି ବୋଲି ଚର୍ଚ୍ଚା ହେଉଛି ।