ପଣ୍ଡ ହେଲା ପାକିସ୍ତାନର ଉଦ୍ୟମ; ଲାହୋରର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କଲା ଭାରତ
1 min read
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଲାହୋର ସ୍ଥିତ ଏୟାର ଡିଫେନ୍ସ ୟୁନିଟ ଧ୍ବଂସ। ଦେଶର ୧୦ ଟି ସହରରେ ହୋଇଥିବା ଡ୍ରୋନ ଆଟାକରେ ବିଭିନ୍ନ ୟୁନିଟଗୁଡିକ ଧ୍ବଂସ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ରୁ ଅଧିକ ଆତଙ୍କବାଦୀଙ୍କ କ୍ୟାମ୍ପକୁ ଧ୍ବଂସ କରାଯିବା ପରେ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରାଯାଇଛି। ପାକିସ୍ତାନର ଲାହୋରରେ ମୁତୟନ ତଥା ଚୀନ ନିର୍ମିତ HQ-9 ମିସାଇଲ ସିଷ୍ଟମ ନଷ୍ଟ ହୋଇଥିବା ଜଣାଯାଇଛି। ଲାହୋର ସମେତ ଗୁଜରନୱାଲା, ରାଓଲପିଣ୍ଡି, ଚାକବାଲ, ବାହାବଲପୁର, ମିଆନବାଲି, କରାଚୀ, ମିଆନୋ ଓ ଆଟୋକରେ ଡ୍ରୋନ ଆଟାକ ହୋଇଥିବା ସୂଚନା ମିଳିଛି। ଲାହୋରରେ ସିରିଜ ବିସ୍ଫୋରଣ ପରେ ସହରରେ ଆତଙ୍କ ଖେଳିଯାଇଛି। ଲାହୋର, ସିଆଲକୋଟ ଓ କରାଚୀ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଛି।
ସେପଟେ ମେ ୭ରୁ ୮ ମଧ୍ଯରେ ଭାରତର ଅବନ୍ତୀପୁରା, ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡୀଗଡ, ନାଲ, ଫାଲୋଡି, ଭୁଜ ସମେତ ୧୫ ସହରରେ ପାକିସ୍ତାନ ପକ୍ଷରୁ ଡ୍ରୋନ ଓ ମିସାଇଲ ଜରିଆରେ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ସବୁ ଅସ୍ତ୍ରଗୁଡିକୁ ଇଣ୍ଟିଗ୍ରେଟେଡ କାଉଣ୍ଟର ୟୁଏଏସ ଗ୍ରୀଡ ଓ ରୁଷୀୟ S-400 ଡିଫେନ୍ସ ସିଷ୍ଟମ ଜରିଆରେ ପରାହତ କରାଯାଇଥିବା କୁହାଯାଇଛି। S-400 ଏୟାର ଡିଫେନ୍ସ ସିଷ୍ଟମ ପ୍ରାୟ ୬୦୦ କିଲୋମିଟର ଦୂରରେ କୌଣସି ଜେଟ, ବାଲିଷ୍ଟିକ ମିସାଇଲ, ଡ୍ରୋନକୁ ଟାର୍ଗେଟ କରିପାରେ।