ଶୀଘ୍ର ନୂଆ ଟିମ୍ ଗଠନ କରିବେ ଭକ୍ତ, କଂଗ୍ରେସ ଶିବିର ଚଳଚଞ୍ଚଳ

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ନୂଆଟିମ ଗଠନ କରିବେ ପିସିସି ସଭାପତି ଭକ୍ତ ଦାସ । ଯାହାକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇ ଉଠିଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଭକ୍ତଙ୍କ ନୂଆ ଟିମରେ କାହାକୁ ମିଳିବ ପ୍ରାଧାନ୍ୟ । ଦାୟିତ୍ବ ନେବାର ୩ ମାସ ପରେ ପୂର୍ଣ୍ଣାଙ୍ଗ ପିସିସି ଗଠନ କରିବାକୁ ଅଣ୍ଟା ଭିଡିଛନ୍ତି ଭକ୍ତ । ଲବି ନୁହେଁ, ପରଫର୍ମାନ୍ସ ଆଧାରରେ ନେତାଙ୍କୁ ସାଂଗଠନିକ ଦାୟିତ୍ବ ଦେବାକୁ ତାଲିକା ପ୍ରସ୍ତୁତ ହେଉଛି । ଭକ୍ତଙ୍କ ନୂଆ ଟିମକୁ ନେଇ ବରିଷ୍ଠ ନେତାମାନେ ମଧ୍ୟ ନିଜର ମତାମତ ରଖିଛନ୍ତି ।

ଫେବ୍ରୁଆରୀ ୧୧ ତାରିଖରେ ଓଡ଼ିଶା କଂଗ୍ରେସର ମଙ୍ଗ ଧରିଲେ ଭକ୍ତ ଦାସ । ଦାୟିତ୍ବ ନେବାର ୩ ମାସ ପରେ ପିସିସିର ପୂର୍ଣ୍ଣାଙ୍ଗ ଟିମ ଗଠନ କରିବାକୁ ଅଣ୍ଟା ଭିଡିଛନ୍ତି । ୫ ଦିନ ଭିତରେ କରାଯିବ ପିସିସିର ନୂଆ ଟିମ । ଭକ୍ତଙ୍କ ନୂଆ ଟିମରେ କାହାକୁ ଉପ ସଭାପତି, କାହାକୁ ସାଧାରଣ ସମ୍ପାଦକ, ସମ୍ପାଦକ ଓ କିଏ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇବେ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଟିମ୍ ଗଠନ ପୂର୍ବରୁ ପିସିସି ସଭାପତି ସିଧାସିଧା ଦଳୀୟ ନେତାଙ୍କୁ ଶୁଣାଇଛନ୍ତି ଚରମବାଣୀ। ପିସିସି ଟିମରେ ଏଣିକି ଲବି ନୁହେଁ, ପରଫର୍ମାନ୍ସ  ଆଧାରରେ ଯୁବ, ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ସଙ୍ଗଠନ ପଦ ପଦବୀ ମିଳିବ । ଏହାସହ ୫୦୦ରୁ ଅଧିକ ଉତ୍ସର୍ଗୀକୃତ କଂଗ୍ରେସ ନେତାଙ୍କୁ ଗୁରୁଦାୟିତ୍ବ ଦେବାକୁ ରଣନୀତି କରିଛନ୍ତି ପିସିସି ସଭାପତି । ଏହି ୫୦୦ ସଦସ୍ୟ କୌଣସି ପଦ ପଦବୀରେ ନରହି ଦଳର ସଂଗଠନକୁ ମଜବୁତ କରିବାକୁ କାମ କରିବେ । ଲଢ଼େଇ ମନୋଭାବ ଥିବା ଯୁବନେତାଙ୍କୁ ସାଂଗଠନିକ ଦାୟିତ୍ବରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି ।

ପିସିସି ସଭାପତି ନିଜର ଟିମ୍ ଗଠନ କରିବାକୁ ଘୋଷଣା କରିବା ପରେ, ଦଳର ବରିଷ୍ଠ ନେତାମାନେ ନୂଆଟିମକୁ ନେଇ ନିଜର ମତ ରଖିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ କହିବା କଥା, ପିସିସି ଟିମ ପାଇଁ ସଭାପତି ବରିଷ୍ଠ ନେତାଙ୍କ ମତାମତ ନେଇଛନ୍ତି । କଂଗ୍ରେସ ସଂଗଠନ ପାଇଁ ସମୟ ଦେଇ ପାରୁଥିବା ନେତାଙ୍କୁ ପଦ ପଦବୀ ଦାୟିତ୍ବ ଦିଆଯିବ । ସେହିପରି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ସଂଗଠନକୁ ମଜବୁତ କରିବା ଉପରେ ଦଳ ଫୋକସ ଦେଇଛି । ତେବେ ଟିମରେ କିଏ ରହିବ, କିଏ ନ ରହିବ ତାହା ଦଳର ନେତୃବୃନ୍ଦ ବିଚାର କରିବେ ।

ଭକ୍ତଙ୍କ ନୂଆ ଟିମରେ ଯୁବ ନେତୃତ୍ବକୁ ଗୁରୁତ୍ବ ଦିଆଯିବ ନା ଚିରାଚରିତ ଭାବେ ଜୁମ୍ବୋ ଟିମ ଗଠନ କରାଯିବ, ତାହାକୁ ଅପେକ୍ଷା କରି ରହିଛି ଓଡ଼ିଶା କଂଗ୍ରେସ । ନୂଆ ଟିମ ଗଠନ ପରେ ରାଜ୍ୟରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ସଂଗଠନ କେତେ ଆଗକୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।