ମହାନଦୀ ପରେ ଶାଖା ନଦୀ ଉପରେ ଛତିଶଗଡ଼ର ଆଖି, ସାନକେଲୋ ନଦୀରେ ନିର୍ମାଣ କରୁଛି ଷ୍ଟକ ୱାଟର ପ୍ରୋଜେକ୍ଟ

1 min read

ନନ୍ଦିଘୋଷ ବ୍ୟୁରୋ: ପୁଣି ଛତିଶଗଡ଼ ସରକାରଙ୍କ ଦାଦାଗିରି । ମହାନଦୀର ପାଣି ଶୁଖାଇବାକୁ କରୁଛି ଷଡଯନ୍ତ୍ର । ମହାନଦୀର ଶାଖା ସାନକେଲୋ ନଦୀରେ ନିର୍ମାଣ କରୁଛନ୍ତି ଆଉ ଏକ ବ୍ୟାରେଜ । ଅଣ ମୌସୁମୀ ସମୟରେ ସାନକେଲୋ ନଦୀକୁ ଟୋପାଏ ପାଣି ଆସିବ ନାହିଁ । ଫଳରେ ହୀରାକୁଦ ଜଳଭଣ୍ଡାର ପ୍ରଭାବିତ ହେବା ସହ ସୀମାନ୍ତବାସୀ ପାଣି ପାଇଁ ଡହଳ ବିକଳ ହେବେ । ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ମାନୁନି ଛତିଶଗଡ଼, ତୁଟିନି ମହାନଦୀ ବିବାଦ । ଟ୍ରିବ୍ୟୁନାଲରେ ଗଡ଼ୁଛି ମାମଲା । ହେଲେ ସାମ୍ନାକୁ ଆସୁଛି ଛତିଶଗଡ଼ର ଗୋଟିଏ ପରେ ଗୋଟିଏ ଦାଦାଗିରି । ସାନକେଲୋ ନଦୀରେ ନିର୍ମାଣ କରୁଛି ବ୍ୟାରେଜ । ମହନଦୀର ଶାଖା ନଦୀକୁ କବଜା କରି ବନ୍ଧ ବାନ୍ଧି ଚାଲିଛି ସେଠାକାର ସରକାର । ଆଉ ନିହଲ ବସିଛନ୍ତି ରାଜ୍ୟର ବିଜେପି ସରକାର । ଏହି ବ୍ୟାରେଜ୍‌ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ହୀରାକୁଦକୁ ପାଣି ଆସିବା ଆହୁରି କମିବ । ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେବେ ସୀମାନ୍ତବାସୀ । ପୂର୍ବରୁ ବଡ଼କେଲୋ ନଦୀରେ ବନ୍ଧ କରି ପାଣି ଅଟକାଇଥିବା ବେଳେ ଏବେ ପୁଣି ସାନକେଲୋ ନଦୀର ପାଣିକୁ ରୋକିବାକୁ ଷଡଯନ୍ତ୍ର କରୁଛି ଛତିଶଗଡ଼ । ଏଥର ରାୟଗଡ଼ ଜିଲ୍ଲାର ବେଲେରିଆ ନିକଟ ନଦୀ ଉପରେ ନିର୍ମାଣ ଚାଲିଛି ଏହି ବ୍ୟାରେଜ୍‌ । ମୌସୁମୀ ପୂର୍ବରୁ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ଛତିଗଡ଼ ସରକାର l ଏହି ବ୍ୟାରେଜ ନିର୍ମାଣ ହେଲେ ନଦୀର ପାଣି ଓଡିଶାର ଭିକମପାଲି ଦେଇ ଆଉ ଆସିବ ନାହିଁ ।

ବେଲେରିଆରେ ନିର୍ମାଣ ହେଉଥିବା ବ୍ୟାରେଜ ପ୍ରକଳ୍ପକୁ ଷ୍ଟକ ୱାଟର ପ୍ରୋଜେକ୍ଟ ନାମ ଦିଆଯାଇଛି । ଏହା ବେଲେରିଆରୁ ଡ଼ୁମେରପାଲିକୁ ଯୋଡିବା ସହ ଜଳସେଚନ ଓ ଆଖପାଖ ଶିଳ୍ପକୁ ପାଣି ଯୋଗାଇବ । ତେବେ ପ୍ରକଳ୍ପ ନିର୍ମାଣ ହେଲେ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକରେ ଉତ୍କଟ ଜଳ ସମସ୍ୟା ଦେଖା ଦେବ । ଲଖନପୁର ବ୍ଲକର ଛୁଇଁପାଲି ଗାଁ ନିକଟରେ ଏହା ହୀରାକୁଦରେ ମିଶିଛି l ପରୋକ୍ଷରେ ହୀରାକୁଦ ଜଳଭଣ୍ଡାର ମଧ୍ୟ ପ୍ରଭାବିତ ହେବା ଆଶଂକା ରହିଛି । ଅଣ ମୌସୁମୀ ସମୟରେ  ନଦୀ ଅବବାହିକାରେ ଥିବା ଭିଖମପାଲି, ଅତାବିରା ଓ ବାଦିମାଲ ସମେତ ଆଖପାଖର ଅନେକ ପଞ୍ଚାୟତ ପାଣି ପାଇବାରୁ ବଞ୍ଚିତ ହେବେ । ଛତିଶଗଡ଼ର ଏହି ଷଡ଼ଯନ୍ତ୍ର ଯୋଗୁଁ ଚିରସ୍ରୋତା ମହାନଦୀ ବାଲିଚରରେ ପରିଣତ ହେବ ବୋଲି କହିଛନ୍ତି ଲୋକେ ।