ସ୍ତ୍ରୀର ଓଢ଼ଣୀକୁ ବେକରେ ଲଗାଇ ଝୁଲି ପଡ଼ିଲେ ସ୍ୱାମୀ

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀର ଓଢ଼ଣୀକୁ ବେକରେ ଲଗାଇ ଝୁଲି ପଡ଼ିଲେ ସ୍ୱାମୀ । କେନ୍ଦୁଝର ସହର ଧୋବାଡିହା ମାଝିସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ତ୍ରୀର ଓଢ଼ଣୀକୁ ବେକରେ ଲଗାଇ ସ୍ୱାମୀ କରିଛନ୍ତି ଆତ୍ମହତ୍ୟା । ମୃତକ ରାଜନଗର ଅଞ୍ଚଳର ସୌମ୍ୟ ରଞ୍ଜନ ବେହେରା। ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ମାଝିସାହିରେ ଘରଭଡା ନେଇ ସପରିବାର ରହୁଥିଲେ । ଆଜି ସକାଳେ ସୌମ୍ୟ ଡ୍ୟୁଟିରୁ ଫେରିବା ପରେ ନିଜ ରୁମକୁ ଯାଇ କିଛି ସମୟ ପରେ ପୁଅକୁ ବାଏ କହିଥିଲେ  । ଏହା ଶୁଣି ତାଙ୍କ ସ୍ତ୍ରୀ କାହିଁକି ସୌମ୍ୟ ବାଏ କହିଲେ ଭାବି ରୁମ ଭିତରକୁ ଯାଇଥିଲେ । ସେତେବେଳକୁ ସୌମ୍ୟ ତାଙ୍କ ଓଢ଼ଣୀକୁ ବେକରେ ଲଗାଇ ଝୁଲି ପଡ଼ିଥିଲେ । ସେ ସଙ୍ଗେ ସଙ୍ଗେ ପାଟି କରି ସାହି ପଡୋଶୀଙ୍କୁ ଡାକିଥିଲେ । ହେଲେ ସେତେବେଳକୁ ସୌମ୍ୟଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।