ଆଜି ପୁଟିନ-ଟ୍ରମ୍ପ ଆଲୋଚନା ; ଅସ୍ତ୍ରବିରତି ପ୍ରସଙ୍ଗରେ ହେବ ନିଷ୍ପତ୍ତି

1 min read

ନନ୍ଦିଘୋଷ ବ୍ୟୁରୋ: ଅସ୍ତ୍ରବିରତି ଓ ବାଣିଜ୍ୟ ପ୍ରସଙ୍ଗ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଜି ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରୁଷ ଓ ୟୁକ୍ରେନ ମଧ୍ୟରେ ଅସ୍ତ୍ରବିରତି ନେଇ କୌଣସି ସହମତି ହୋଇପାରି ନଥିବାବେଳେ ଏନେଇ କଥାବାର୍ତ୍ତା କରିବାକୁ ଆଗେଇ ଆସିଛନ୍ତି ଟ୍ରମ୍ପ । ତୁର୍କୀ ଇସ୍ତାନବୁଲରେ ହୋଇଥିବା ରୁଷ-ୟୁକ୍ରେନ ମଧ୍ୟରେ ପ୍ରଥମ ସିଧାସଳଖ କଥାବାର୍ତ୍ତାରେ କେବଳ ଏକ ହଜାର ଲେଖାଁଏ ଯୁଦ୍ଧବନ୍ଦୀ ଅଦଳବଦଳ କରିବା ଲାଗି ନିଷ୍ପତ୍ତି ହୋଇଥିଲା । ହେଲେ ଅସ୍ତ୍ରବିରତି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ହୋଇପାରି ନଥିଲା । ଅସ୍ତ୍ରବିରତି ପ୍ରସଙ୍ଗରେ ପୁଟିନଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ବି ଆଲୋଚନା କରିବା ସମ୍ଭାବନା ରହିଛି । ଏହା ସହ ଟ୍ରମ୍ପ ବି ନାଟୋ ନେତାଙ୍କ ସହ ବି ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି ।

ଇସ୍ତାନବୁଲ ଆଲୋଚନାରେ ଅସ୍ତ୍ରବିରତି ଲାଗି ୟୁକ୍ରେନ ରାଜି ଥିବା କହିଥିଲେ ଜେଲେନସ୍କି । ସେପଟେ ରୁଷର ଡ୍ରୋନ ହମଲାରେ ୯ ଜଣ ୟୁକ୍ରେନ ନାଗରିକ ପ୍ରାଣ ହରାଇବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜେଲେନସ୍କି । ଗତ ୧୭ ତାରିଖରେ ରୁଷ ଓ ୟୁକ୍ରେନ ମଧ୍ୟରେ ପ୍ରଥମ ଥର ଲାଗି ଇସ୍ତାନବୁଲରେ ସିଧାସଳଖ କଥାବାର୍ତ୍ତା ହୋଇଥିଲା । ମାତ୍ର ୨ ଘଣ୍ଟା ଲାଗି ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରେ ଅସ୍ତ୍ରବିରତି ନେଇ ନିଷ୍ପତ୍ତି ନିଆଯିବ ବୋଲି ଯେଉଁ ଆଶା ରହିଥିଲା ତାହା ସଫଳ ହୋଇନଥିଲା । ପୂର୍ବରୁ ଜେଲେନସ୍କି ୟୁରୋପୀୟ ସମ୍ମିଳନୀରେ ଯୋଗଦେଇ ଟ୍ରମ୍ପ ଓ ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ପୋଲାଣ୍ଡର ନେତାଙ୍କ ସହ ଆଲୋଚନା କରିଥିଲେ ।