ଧରାପଡ଼ିଲା ଆଉ ଜଣେ ଗୁପ୍ତଚର ; ISI କୁ ଭାରତର ସୂଚନା ଦେଉଥିଲା
1 min read
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଆଉ ଜଣେ ଗିରଫ। ଉତ୍ତର ପ୍ରଦେଶର ମୁରାଦାବାଦରୁ ତାକୁ ଗିରଫ କରାଯାଇଛି । ଅଭିଯୁକ୍ତର ନାଁ ହେଲା ଶେହଜାଦ । ସେ ବାରମ୍ବାର ପାକିସ୍ତାନ ଗସ୍ତ କରିଥିଲା, ସୀମା ସେପଟକୁ ଯାଇ ବିଭିନ୍ନ ସାମଗ୍ରୀର ଚୋରା ଚାଲାଣରେ ସାମିଲ ଥିଲା। ଆଇଏସଆଇ ଏଜେଣ୍ଟମାନଙ୍କୁ ଭାରତର ସୁରକ୍ଷା ସଂପର୍କିତ ଅନେକ ସୂଚନା ପ୍ରଦାନ କରିଥିବାର ଅଭିଯୋଗ ହୋଇଛି । ଏହା ପରେ ତାକୁ ଗିରଫ କରିଛି ଉତ୍ତରପ୍ରଦେଶର ଆଣ୍ଟି ଟେରୋରିଷ୍ଟ ସ୍କ୍ଵାର୍ଡ। ଶେହଜାଦ ହେଉଛି ରାମପୁର ଜିଲ୍ଲାର ବାସିନ୍ଦା ।
ATS ଦ୍ୱାରା ଜାରି ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, ଇସଲାମାବାଦର ଗୁଇନ୍ଦା ସଂସ୍ଥାର ସୁରକ୍ଷାରେ ଭାରତ-ପାକିସ୍ତାନ ସୀମା ଦେଇ ଚୋରା ଚାଲାଣରେ ଶେହଜାଦର ସମ୍ପୃକ୍ତି ଥିଲା। ବିଶ୍ୱସ୍ତ ଗୁଇନ୍ଦା ସୂଚନା ପରେ ତାଙ୍କ ଉପରେ ନଜର ରଖାଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ ସେ ବହୁ ଥର ପାକିସ୍ତାନ ଯାତ୍ରା କରିଥିଲା ଓ ପ୍ରସାଧନ ସାମଗ୍ରୀ, ପୋଷାକ, ମସଲା ଏବଂ ଅନ୍ୟାନ୍ୟ ସାମଗ୍ରୀର ଅବୈଧ ସୀମାପାର ବାଣିଜ୍ୟରେ ଲିପ୍ତ ଥିଲେ। ପୋଲିସ କହିଛି ଯେ ଏହି ଚୋରା ଚାଲାଣ ରାକେଟ୍ ବାହାନାରେ ସେ ଗୁପ୍ତଚର କାର୍ଯ୍ୟକଳାପରେ ଲିପ୍ତ ଥିଲା ।
ଅଧିକ ତଦନ୍ତରୁ ଜଣାପଡିଛି ଯେ, ISI ନିର୍ଦ୍ଦେଶ ଅନୁଯାୟୀ, ଶେହଜାଦ ଭାରତରେ କାର୍ଯ୍ୟରତ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ପାଣ୍ଠି ଯୋଗାଇ ଦେଉଥିଲା। ରାମପୁର ଏବଂ ଉତ୍ତର ପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳରୁ ଲୋକମାନଙ୍କୁ ISI-କାର୍ଯ୍ୟକଳାପ ପାଇଁ ନିଯୁକ୍ତି ଦେବାର ଦାୟିତ୍ଵ ମଧ୍ୟ ସେ ନେଇଥିଲା।