ବେକ ପର୍ଯ୍ୟନ୍ତ ଦୁର୍ନୀତିରେ ବୁଡ଼ିଛି ଅବକାରୀ ବିଭାଗ: ଲାଞ୍ଚ ନ ଦେବାରୁ ହର୍ବାଲ ମଦ କମ୍ପାନୀକୁ ତାଲିକାରୁ ହଟାଇ ଦିଆଗଲା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ହର୍ବାଲ ମଦ ପ୍ରସ୍ତୁତ ଓ ବିକ୍ରି କରିବାକୁ ଆସିଥିବା ଗୋଟିଏ କମ୍ପାନୀକୁ ଅଯଥାରେ ହଇରାଣ କରୁଛନ୍ତି ବିଭାଗୀୟ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବି ଖାତିର କରୁନାହାନ୍ତି । ଏଭଳି ଅଭିଯୋଗ କରିଛନ୍ତି ଜୁନିୟର ଅଭିଷେକ ହର୍ବାଲ କମ୍ପାନୀର ମାଲିକ ଅନିରୁଦ୍ଧ କପାଲେ । ଏମାନଙ୍କ ନିର୍ଯାତନାର ଶିକାର ହୋଇ କମ୍ପାନୀ ମାଲିକ ଆତ୍ମହତ୍ୟା କରିବାକୁ ଖୋଲା ଚେତାବନୀ ଦେଇଛନ୍ତି । ଜୁନ୍ ୨୪ରେ ସିଏ ଆତ୍ମହତ୍ୟା କରିବାକୁ ଯାଉଥିବା କହିଛନ୍ତି ।

ରାଜ୍ୟ ସରକାରଙ୍କ ଅବକାରୀ ବିଭାଗରେ ଭ୍ରଷ୍ଟାଚାର ସୀମା ଟପିଛି । ଏଭଳି ଅଭିଯୋଗ କରିଛନ୍ତି ଜୁନିୟର ଅଭିଷେକ ହର୍ବାଲ କମ୍ପାନୀର ସିଏମଡି ଅନିରୁଦ୍ଧ କପାଲେ । ରାଜ୍ୟ ଅବକାରୀ ବିଭାଗ, ଏହାର ଅଧିକାରୀ ଓ ଅଧୀନରେ ଥିବା ରାଜ୍ୟ ପାନୀୟ ନିଗମ ବିରୋଧରେ ବର୍ଷିଛନ୍ତି ଅନିରୁଦ୍ଧ । ୫ ଲକ୍ଷ ଟଙ୍କା ଲାଞ୍ଚ ଦେଲେ ନାହିଁ ବୋଲି ତାଙ୍କ କମ୍ପାନୀକୁ ଅବକାରୀ ବିଭାଗ ତାଲିକାରୁ ହଟାଇ ଦେଇଛି । ଏଭଳି ଅନ୍ୟାୟ ବିରୋଧରେ କାର୍ଯ୍ୟନୁଷ୍ଠାନ ନ ହେଲେ ଜୁନ୍ ୨୪ ତାରିଖରେ ଅନିରୁଦ୍ଧ ଆତ୍ମହତ୍ୟା କରିବେ ବୋଲି ଖୋଲାଖୋଲି କହିଛନ୍ତି ।

ଅନିରୁଦ୍ଧଙ୍କ କହିବା ଅନୁସାରେ, ଦେଶରେ ପ୍ରଥମ ଥର ପାଇଁ ଜଡିବୁଟି ମିଶ୍ରଣରେ ହର୍ବାଲ ମଦ ପ୍ରସ୍ତୁତ କରିବାକୁ ଗବେଷଣା କରିବା ପରେ କମ୍ପାନୀ ବଜାର ପ୍ରବେଶ ପାଇଁ ଓଡ଼ିଶାକୁ ବାଛିଥିଲା । ମାତ୍ର ଓଡ଼ିଶାରେ କିଛି ଦୁର୍ନୀତିଖୋର ଅଧିକାରୀ ଜାଣିଶୁଣି ହଇରାଣ କରିବା ସହ ଲାଞ୍ଚ ଦେବା ପାଇଁ ବାଧ୍ୟ କରୁଛନ୍ତି । ଲାଞ୍ଚ ନ ଦେବାରୁ ପ୍ରତିଦ୍ବନ୍ଦ୍ବୀ କମ୍ପାନୀ ସହ ଅଧିକାରୀଙ୍କ ସଲାସୁତୁରାରେ ତାଙ୍କୁ ତାଲିକାରୁ ବାଦ୍ ଦେଇଛନ୍ତି ।

ଆଇଏଏସ୍, ଆଇପିଏସ୍ ଓ ଓଏଏସ୍ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଅନିରୁଦ୍ଧ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉ ନଥିବାରୁ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଛନ୍ତି । ବିଭାଗ ସହ ବାର୍ତ୍ତାଳପ ହୋଇଥିବା ବିଭିନ୍ନ ଚିଠି ମଧ୍ୟ ଦେଖାଇଛନ୍ତି । ଏପରିକି ବିଭାଗର ଅନୁସଚିବ ଓ ଯୁଗ୍ମ ସଚିବ ଅନିରୁଦ୍ଧଙ୍କ ଅଭିଯୋଗ ଉପରେ ତଦନ୍ତ କରିବାକୁ ଅବକାରୀ କମିଶନରଙ୍କୁ ଲେଖିଥିବା ଚିଠି ବି ହସ୍ତଗତ ହୋଇଛି । ଏଭଳି ଗୁରୁତର ଅଭିଯୋଗ ଉପରେ ଅବକାରୀ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ସେଭଳି କୌଣସି ତଥ୍ୟ ବିଭାଗ ପାଖରେ ନାହିଁ । ଯେଉଁ ଅଭିଯୋଗ ଆସୁଛି, ତାର ସତ୍ୟତା କେତେ ତଦନ୍ତ କଲେ ହିଁ ଜଣାପଡ଼ିବ ।

ମହାରାଷ୍ଟ୍ର ନାଗପୁରରେ ରହୁଥିବା ଜଣେ ଉଦ୍ୟୋଗୀଙ୍କ ଏଭଳି ଅଭିଯୋଗ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅନିରୁଦ୍ଧ କପାଲେଙ୍କ ଅଭିଯୋଗରେ କେତେ ସତ୍ୟତା ଅଛି, ବିଭାଗୀୟ ବାର୍ତ୍ତାଳପ ହୋଇଛି କି ନାହିଁ ତାହା ତଦନ୍ତ ହେଲେ ସ୍ପଷ୍ଟ ହେବ । ହେଲେ ରାଜ୍ୟ ବାହାରର ଜଣେ ଉଦ୍ୟୋଗୀଙ୍କ ଅଭିଯୋଗ ଅବକାରୀ ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ।