୨୭ରୁ ୩୦ ତାରିଖ ଯାଏଁ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା

1 min read

ନନ୍ଦିଘୋଷ ବ୍ୟୁରୋ: କାଳବୈଶାଖୀ ସହ ପ୍ରାକ ମୌସୁମୀ ବର୍ଷାରେ ଭିଜିବ ଓଡ଼ିଶା l ଆସନ୍ତା  ୭ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ l ୨୭ ତାରିଖରୁ ୩୦ ତାରିଖ  ଯାଏଁ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ରହିଛି । ଏହି ବର୍ଷା ମୌସୁମୀକୁ ଅଗ୍ରସର ହେବାକୁ ବାଟ ଫିଟାଇବ । ସଅଳ ମୌସୁମୀ ଆସିବାକୁ ବି ସହାୟକ ହେବ ଲଘୁଚାପ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ପ୍ରାକ ମୌସୁମୀ ପ୍ରଭାବରେ ଜାରି ରହିଛି ତୁହାକୁ ତୁହା ବର୍ଷା । ପୁଣି ୨୭ ତାରିଖରୁ ୩୦ ତାରିଖ ଭିତରେ ରାଜ୍ୟରେ ପ୍ରବଳ ବର୍ଷା ଆକଳନ କରାଯାଇଛି l ମୌସୁମୀ କେରଳ ଛୁଇଁବା ପରେ ରାଜ୍ୟର ଅନେକ ସ୍ଥାନରେ ଝିପିଝିପି ବର୍ଷା ସାଙ୍ଗକୁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି  l ଗରମ ଗୁଳୁଗୁଳିରୁ ଲୋକଙ୍କୁ ଟିକେ ଆଶ୍ୱସ୍ତି ମିଳିଛି l ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଅନେକ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର  l ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାଶ୍ୱବର୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବା ନେଇ ପୂର୍ବାନୁମାନ କରାଯାଇଛି । ଏହା ଓଡ଼ିଶାକୁ ମୌସୁମୀ ଅଗ୍ରସର ହେବାରେ ସହାୟକ ହେବ ବୋଲି ପାଣିପାଗ ବିଭାଗ ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ।

ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ କୋରାପୁଟ, ରାୟଗଡା, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡା, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର କେନ୍ଦୁଝର ଓ ମୟୂରଭଞ୍ଜ ଭଳି ୧୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅବଶିଷ୍ଟ ୧୪ ଜିଲ୍ଲାକୁ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ୨୮ ଓ ୨୯ ତାରିଖରେ ମୌସୁମି ଓଡ଼ିଶା ଛୁଇଁବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ମୌସୁମୀ ଆଗମନ ନେଇ ପାଗ ଅନୁକୂଳ ଥିବା ବେଳେ ମାସ ଶେଷ ବେଳକୁ ଓଡିଶାକୁ ମୌସୁମୀ ପ୍ରବେଶ କରିସାରିଥିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।