ପୁଣି କଳାକାର-ଯାତ୍ରା ମାଲିକ ବିବାଦ: ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ପୁଣି କଳାକାର ଓ ଯାତ୍ରା ମାଲିକ ବିବାଦ । ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ଯାତ୍ରା ପାର୍ଟି ଅଶୋକ ସମ୍ରାଟର ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ଓ ତାଙ୍କ ସ୍ଵାମୀ ବାପି କୁମାର । ବିକେୟା ଟଙ୍କା ମାଲିକ ଦେଇନଥିବା ଅଭିଯୋଗ କରିବା ସହ ବାଲିଆପାଳରେ ଯାତ୍ରା ପାର୍ଟି ପଡ଼ିଥିବା ବେଳେ ଯାତ୍ରା କମିଟି ତାଙ୍କୁ ଅଶାଳୀନ ଗାଳି ଗୁଲଜ କରିବା ସହ ମାଡ ମରାଯାଇ ଥିବା ଅଭିଯୋଗ ଆଣିଛନ୍ତି । ଏନେଇ ସେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଯାତ୍ରା କଳାକାରଙ୍କ ଅଭିଯୋଗ ଅନୁଯାୟୀ ତିନି ମାସର ବିକିୟା ୭ ଲକ୍ଷ ଟଙ୍କା ମାଗିବାରୁ ମାଲିକ ଆଜି କାଲି କହି ଦିନ ଗଡ଼େଇ ଦେଉଥିବା ଅଭିଯୋଗ ହୋଇଛି । ପରେ ବାଲିଆପାଳରେ ଯାତ୍ରା ଚାଲିଥିବା ସମୟରେ ମାଲିକ ୧ ଲକ୍ଷ ଟଙ୍କା ଦେଇଥିଲେ । ଫଳରେ ସ୍ଥାନୀୟ କମିଟି ସହ ଅଭିନେତ୍ରୀ ଓ ତାଙ୍କ ସ୍ଵାମୀ ବାପିଙ୍କର ଝଗଡ଼ା ହୋଇଥିଲା । ଯାହାକୁ ନେଇ କମିଟି ପକ୍ଷରୁ ମାଡ ମରା ଯାଇଥିବା ଅଭିଯୋଗ କରିଛନ୍ତି ମାମୁନି ଓ ତାଙ୍କ ସ୍ଵାମୀ । ଏହି ମାଡ ମାରିବା ପଛରେ ମାଲିକଙ୍କ ହାତ ରହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ । ସେ କହିଛନ୍ତି କୌଣସି ବିକେୟ ଟଙ୍କା ନାହିଁ । ସେ ଆଗାମୀ ବର୍ଷ ପାଇଁ ୫ ଲକ୍ଷ ଟଙ୍କା ନେଇ ସାରିଛନ୍ତି । ତାଙ୍କର କମିଟି ସହ ଝଗଡ଼ା ହୋଇଛି । ପୋଲିସକୁ ସେ ସମ୍ପୂର୍ଣ ସହଯୋଗ କରିବେ ବୋଲି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ।