ଜଲିଉଡରେ ପୁଣି ବିବାଦ: ଅଭିନେତ୍ରୀ ମାମୁନି ବକେୟା ଟଙ୍କା ମାଗିବାରୁ ଯାତ୍ରା ମାଲିକ ମାଡ଼ ମାରିଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଥମୁନି ଯାତ୍ରା ବିବାଦ । ମାଲିକଙ୍କ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରା ପାର୍ଟି ଅଶୋକ ସମ୍ରାଟର ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ଓ ତାଙ୍କ ସ୍ଵାମୀ ବାପି କୁମାର । ଅଶଳୀନ ଗାଳିଗୁଲଜ କରିବା ସହ ମାଡ଼ ମରାଯାଇଥିବା ନେଇ ଥାନାରେ ଏତଲା ହୋଇଛି । ସେପେଟ ଅଭିଯୋଗକୁ ମାଲିକ ଅନନ୍ତ ନାରାୟଣ ଧଳ ଖଣ୍ଡନ କରିଥିବାବେଳେ କଳାକାରଙ୍କ ସପକ୍ଷରେ ବାହାରିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଉପଦେଷ୍ଟା ବାପି ପଣ୍ଡା ।
ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଯାତ୍ରା ପାର୍ଟି ଅଶୋକ ସମ୍ରାଟର ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ଏବଂ ତାଙ୍କ ସ୍ଵାମୀ ବାପି କୁମାର । ୩ ମାସର ବକେୟା ୭ ଲକ୍ଷ ଟଙ୍କା ମାଗିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ବାଲିଆପାଳରେ ଯାତ୍ରା ଚାଲିଥିବା ସମୟରେ ମାଲିକ ୧ ଲକ୍ଷ ଟଙ୍କା ଦେଇଥିଲେ । ତେବେ ଅବଶିଷ୍ଟ ଟଙ୍କା ମାଗିବାରୁ ୨୪ ତାରିଖ ରାତିରେ କମିଟି ମେମ୍ବରଙ୍କୁ ଲଗାଇ ମାଡ ମାରିଥିବା ଅଭିଯୋଗ କରିଛନ୍ତି ମାମୁନି । ସେପଟେ ଅଭିନେତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଉପଦେଷ୍ଟା ବାପି ପଣ୍ଡା । ଯାତ୍ରାରେ କଳାକାରଙ୍କ ପ୍ରତି ଅନ୍ଯାୟ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।
ସେପଟେ ମାମୁନିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ । ମାମୁନିଙ୍କ କୌଣସି ବକେୟା ଟଙ୍କା ତାଙ୍କ ନିକଟରେ ନାହିଁ । ଆଗାମୀ ବର୍ଷ ପାଇଁ ସେ ୫ ଲକ୍ଷ ଟଙ୍କା ନେଇ ସାରିଛନ୍ତି । ତାଙ୍କର କମିଟି ସହ ଝଗଡ଼ା ହୋଇଛି । ପୋଲିସକୁ ମାମଲାରେ ସମ୍ପୂର୍ଣ ସହଯୋଗ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଅନନ୍ତଙ୍କ ସପକ୍ଷରେ ସାମ୍ନାକୁ ଆସିଛନ୍ତି ରାଜଧାନୀ ଯାତ୍ରା ପରିଚାଳକ ଜଗତ ଜୀବନ ପଣ୍ଡା । ମାର୍ଚ୍ଚ ମାସରୁ ଆସନ୍ତା ଯାତ୍ରା ଋତୁରେ ଦୁଇଜଣଙ୍କୁ ପାର୍ଟିକୁ ନେବେ ନାହିଁ ବୋଲି ମନା କରିଛନ୍ତି ଜଗତ ଜୀବନ ।
ସେପଟେ ଯାତ୍ରା ଅଶୋକ ସମ୍ରାଟରେ ମାଲିକ ଓ ଅଭିନେତ୍ରୀ ବିବାଦକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି ତାରିଣୀ ଯାତ୍ରା କମିଟି । ବାଲେଶ୍ବର ଜିଲ୍ଲା ତାରିଣୀ ଯାତ୍ରା କମିଟି ଆନୁକୁଲ୍ଯରେ ଗତ ୨୨ ତାରିଖରୁ ୨୪ ତାରିଖ ୩ ଦିନ ଯାତ୍ରା ପରିବେଷଣ ହେବାକୁ ଥିଲା । ୨୨ ତାରିଖରେ ନାୟକ ଚନ୍ଦନଙ୍କ ଅନୁପସ୍ଥିତ, ନାୟିକା ମାମୁନି ଏବଂ ଉପସ୍ଥାପକ ବାପିଙ୍କ ଟଙ୍କା ନେଣଦେଣକୁ ନେଇ ଷ୍ଟେଜକୁ ଆସିବାକୁ ମନା କରିବାରୁ ସେଦିନ ଯାତ୍ରା ବନ୍ଦ ରହିଥିଲା । ୨୩ ତାରିଖରେ ବାପିଙ୍କୁ ଷ୍ଟେଜକୁ ଚଢିବାକୁ କମିଟି ବିରୋଧ କରିଥିଲା । ଏଥିରେ ବାପିଙ୍କ ସ୍ତ୍ରୀ ମାମୁନି ଉତକ୍ଷିପ୍ତ ହୋଇ କମିଟି ସଦସ୍ଯଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଯାତ୍ରା ପାର୍ଟି ମ୍ଯାନେଜରଙ୍କୁ ମଧ୍ଯ ଠେଲାପେଲା କରିଥିବା ପାଲଟା ଅଭିଯୋଗ କରିଛି କମିଟି । ଅଯଥାରେ ମାମୁନି ବଦନାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଯାତ୍ରା କମିଟି ସଦସ୍ୟ । ସେପଟେ କ୍ଯାସିୟର କହିଛନ୍ତି, ମାମୁନି ଚୁକ୍ତି ଅନୁଯାୟୀ ସମସ୍ତ ଟଙ୍କା ନେବା ସହ ଅଗ୍ରୀମ ନେଇଥିବା ଦୁଇ ଲକ୍ଷ ଟଙ୍କା ଯାତ୍ରାକୁ ଫେରାଇବାର ଅଛି ।