ଶିକ୍ଷା କ୍ଷେତ୍ରରେ ବିଜେପି ସରକାରଙ୍କ ବିଫଳତା, ଗତବର୍ଷ ତୁଳନାରେ ଚଳିତବର୍ଷ ଡ୍ରପଆଉଟ ଅଧିକ

ନନ୍ଦିଘୋଷ ବ୍ୟୁରୋ: ଡ୍ରପ ଆଉଟର କାରଣ ଖୋଜା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯେତେ ବି କହିଲେ, ଏହା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଗତବର୍ଷ ଅପେକ୍ଷା ଚଳିତବର୍ଷ ଯୁକ୍ତଦୁଇ ପରୀକ୍ଷାରେ ଡ୍ରପ ଆଉଟ ସଂଖ୍ୟା ବଢିଛି । ଏପରିକି ହଜାର ହଜାର ସଂଖ୍ୟାରେ ଦଶମ ଶ୍ରେଣୀ ପିଲା ବି ପରୀକ୍ଷା ଦେଇନାହାନ୍ତି । ଏହା ବିରୋଧରେ ସରକାରଙ୍କ କାରଣ ଖୋଜା ନୀତିକୁ ନେଇ ପ୍ରଶ୍ନ ଉଠାଇଛି ଶିକ୍ଷକ ସଂଘ ଓ ଅଭିଭାବକ । ସେପଟେ ଛାତ୍ରଛାତ୍ରୀମାନେ ଏଥିପାଇଁ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି ।

ନିର୍ବାଚନ ପୂର୍ବରୁ ଡ୍ରପ ଆଉଟ ବିରୋଧରେ ସ୍ବର ଉଠାଉଥିବା ବିଜେପି ଆଜି ନିଜ ଚକ୍ରବ୍ୟୂହରେ ନିଜେ ଫସି ଯାଇଛି । ସର୍ଭେ ଜରିଆରେ ଡ୍ରପ ଆଉଟର କାରଣ ଖୋଜା ଚାଲିଥିବା ନେଇ ସଫେଇ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ହେଲେ ଡ୍ରପ ଆଉଟର ତଥ୍ୟ ସର୍ଭେର ବିଫଳତାକୁ ପଦାରେ ପକାଇଛି । ଚଳିତବର୍ଷ ଯୁକ୍ତଦୁଇରେ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ ଫର୍ମ ପିଲଅପ୍ କରିଥିବା ବେଳେ ୩ ଲକ୍ଷ ୮୮ ହଜାର ୩୦୧ ଜଣ ପରୀକ୍ଷା ଦେଇଛନ୍ତି । ଅବଶିଷ୍ଟ ୫୩୧୭ ଜଣଙ୍କୁ ଏଯାଏଁ ଖୋଜି ପାରି ନାହାନ୍ତି ସରକାର । କଳାରେ ୩୭୩୮ ଜଣ, ବାଣିଜ୍ୟରେ ୪୧୮ ଜଣ ଏବଂ ବିଜ୍ଞାନରେ ୧୦୧୨ ଜଣ ପରୀକ୍ଷା ଦେଇ ନଥିଲେ । ଧନ୍ଦାମୂଳକ ଶିକ୍ଷାରେ ୧୪୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ । ୨୦୨୪ ମସିହାରେ ଫର୍ମ ଫିଲ ଅପ୍ କରିଥିବା ୩ ଲକ୍ଷ ୮୬ ହଜାର ୧୬୦ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ୩୫୧୪ ଜଣଙ୍କ ପତ୍ତା ପାଇ ନଥିଲେ ସରକାର । ଦଶମରେ ୮୩୬୨ ପିଲା ଫର୍ମ ଫିଲଅପ୍ କରି ପରୀକ୍ଷା ଦେଇ ନାହାନ୍ତି । ଏପରି ସ୍ଥିତିରେ ସରକାରଙ୍କ ସର୍ଭେ ସନ୍ଦେହ ଘେରକୁ ଚାଲିଆସିଛି ।

ସରକାରୀ ସ୍କୁଲ ଓ କଲେଜରେ ଶିକ୍ଷକ ଅଭାବ । ଯାହାକୁ ଏଯାବତ ପୂରଣ କରି ପାରିଲେ ନାହିଁ ସରକାର । ଫେବୃଆରୀ ୧ ଯାଏଁ ମିଳିଥିବା ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୨୨୫୦ ପ୍ରଧାନଶିକ୍ଷକ ପଦ ଖାଲି ପଡ଼ିଛି । ସାରା ରାଜ୍ୟରେ ୫ ହଜାର ୧୯୯ ସହକାରୀ ଶିକ୍ଷକ ପଦ ଏଯାଏଁ ଖାଲି ପଡ଼ିଛି । ଏହି ତାଲିକାରେ ୫୮୨ ଖାଲି ପଦ ସହ ଶୀର୍ଷରେ ରହିଛି କଟକ ଜିଲ୍ଲା । ସେପଟେ ଅଣଶିକ୍ଷକ ଭାବେ ୬୧୧ କିରାଣୀ, ୫୦୮୮ ପିଓନ ଓ ୧୫୫୦ ରାତ୍ରୀ ଜଗୁଆଳି ପଦ ଖାଲି ପଡ଼ିଛି । ତାଲିକା ଆହୁରି ଅଧିକ ବଢିପାରେ । ଶିକ୍ଷକ ଅଭାବକୁ ଅଭିଭାବକ ଓ ଶିକ୍ଷକ ଦାୟୀ କରିବା ସହ କେଉଁ ଆଧାରରେ ଡ୍ରପ ଆଉଟର କାରଣ ଖୋଜା ଚାଲିଛି ବୋଲି ପ୍ରଶ୍ନ ଉଠାଇଛନ୍ତି । ସେପଟେ ପିଲାମାନେ ଆଣିଛନ୍ତି ଗୁରୁତର ଅଭିଯୋଗ । ଗୁଣାତ୍ମକ ଶିକ୍ଷାଭିତ୍ତିକ ଶିକ୍ଷାଦାନ ବଦଳରେ ଦରମା ଭିତ୍ତିକ ଶିକ୍ଷାଦାନକୁ ଗୁରୁତ୍ବ ଦେଉଛନ୍ତି ଶିକ୍ଷକ ।

ଡ୍ରପ ଆଉଟ ରୋକିବା ବି ସରକାରଙ୍କ ପବ୍ଲିସିଟି ଷ୍ଟଣ୍ଟ ପାଲଟି ଯାଇଥିବା ନେଇ ଅଭିଯୋଗ ଉଠିଲାଣି । ପିଲାମାନଙ୍କୁ କିପରି ସ୍କୁଲକୁ ଫେରାଇ ଅଣାଯିବ, ସେ ଦିଗରେ କାମ ନକରି ସ୍କୁଲର ରଙ୍ଗ ପରିବର୍ତ୍ତନ ଚାଲୁଥିବାରୁ ସମସ୍ୟା ଜଟିଳ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।