୧୧ ମାସ ହେଲା ସରିଲାଣି ନିର୍ବାଚନ: ଏଯାଏଁ ସରିଲାନି ୩ ପ୍ରମୁଖ ଦଳଙ୍କ ସାଙ୍ଗଠନିକ ନିର୍ବାଚନ ପର୍ବ

ନନ୍ଦିଘୋଷ ବ୍ୟୁରୋ: ୨୦୨୪ ନିର୍ବାଚନର ୧୧ ମାସ ପରେ ବି ରାଜ୍ୟର ୩ ପ୍ରମୁ୍ଖ ରାଜନୈତିକ ଦଳ ସାଂଗଠନିକ ନିର୍ବାଚନ ପର୍ବ ଶେଷ କରିପାରୁନାହାନ୍ତି । ଶାସକ ବିଜେପି ବେକରେ ରାଜ୍ୟ ମୁଖିଆ ଚୟନ କଣ୍ଟା ଲାଗିଥିବା ବେଳେ ଜିଲ୍ଲା ସଭାପତି ବାଛି ପାରୁନାହିଁ କଂଗ୍ରେସ । ବିଜେଡି କିନ୍ତୁ ବିଜେପି ଓ କଂଗ୍ରେସଠାରୁ ସାଙ୍ଗଠନିକ ନିର୍ବାଚନରେ ଢେର ଆଗରେ ରହିଛି । ବିଜେପି, ବିଜେଡି ଓ କଂଗ୍ରେସ ସଙ୍ଗଠନର ନବକଳେବର କରି ପୁଣି ଥରେ ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବାକୁ ଯୋଜନା କରିଛନ୍ତି ।

ଦଳୀୟ ସାଙ୍ଗଠନିକ ନିର୍ବାଚନ ପର୍ବରେ କିଏ ଆଗରେ ଓ କିଏ ପଛରେ ? ଡେଡଲାଇନ ପରେ ଡେଡଲାଇନ ସରୁଛି ହେଲେ ଶାସକ ବିଜେପିର ରାଜ୍ୟ ମୁଖିଆ କିଏ ହେବ ତାହା ସ୍ଥିର ହୋଇପାରୁନାହିଁ । ବିଜେପିର ପରବର୍ତ୍ତୀ ରାଜ୍ୟ ସଭାପତି କିଏ ହେବ ତାହାକୁ ନେଇ ଦଳରେ ସସପେନ୍ସ ଜାରି ରହିଛି । ରାଜ୍ୟ ନେତୃତ୍ବରୁ କେନ୍ଦ୍ରୀୟ ନେତୃତ୍ବ ଯାଏଁ ସଭାପତି ଚୟନ ନେଇ ଚାଲିଛି କସରତ । ଏହାକୁ ନେଇ ଓଡିଶାରେ ବ୍ୟାକଫୁଟରେ ବିଜେପି ସଙ୍ଗଠନ । ଏହାର ପ୍ରଭାବ ବି ତୃଣମୂଳସ୍ତରେ ପଡୁଛି । ନେତାଙ୍କ ମୁହଁରେ ଗୋଟିଏ କଥା, ଶୀଘ୍ର ସଭାପତି ଚୟନ ପ୍ରକ୍ରିୟା ଶେଷ ହେବ ।

ଅନ୍ୟପଟେ ୩୦ ଜଣିଆ ପିସିସି ଟିମ ଗଠନ କରିବା ପରେ ବି କଂଗ୍ରେସ ଜିଲ୍ଲା ସଭାପତି ଚୟନ କରିପାରୁନାହିଁ । ପିସିସି ଟିମକୁ ନେଇ ଦଳରେ ବରିଷ୍ଠ ନେତାମାନେ ଅସନ୍ତୋଷ ପ୍ରକାଶ କରିବା ପରେ ଜିଲ୍ଲା ସଭାପତି ଚୟନ ପିସିସି ସଭାପତିଙ୍କ ପାଇଁ ଚ୍ୟାଲେଞ୍ଜ ଭରା ହୋଇଛି । ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, ପିସିସି ସଭାପତି ଜିଲ୍ଲା ବୁଲି ସଭାପତି ଚୟନ କରୁଛନ୍ତି । ଖୁବଶୀଘ୍ର ନାଁ ଘୋଷଣା କରାଯିବ ।

ଅନ୍ୟପଟେ ସାଙ୍ଗଠନିକ ନିର୍ବାଚନ ପ୍ରକିୟାରେ ବେଶ ଆଗରେ ରହିଛି ମୁଖ୍ୟ ବିରୋଧୀ ବିଜେଡି । ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ, ରାଜ୍ୟ ପରିଷଦ, ରାଜନୈତିକ ବ୍ୟାପାର କମିଟି, ଶୃଙ୍ଖଳା କମିଟି ଗଠନ, ୧୦ଟି ଛାମୁଆ ସଙ୍ଗଠନକୁ ନୂଆ ରୂପ ଦେଇଛି ଦଳ । ୩୩ଟି ସାଙ୍ଗଠନିକ ଜିଲ୍ଲା ସଭାପତିରୁ ମାତ୍ର ୯ଟି ଜିଲ୍ଲାର ସଭାପତି ଚୟନ କରିପାରିନାହିଁ ଦଳ । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବାସଭବନରେ ଘନଘନ ବୈଠକ କରାଯାଇ ଜିଲ୍ଲା ସଭାପତି ଚୟନ ଚୂଡାନ୍ତ କରାଯାଇଛି ବୋଲି ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ବିଜେପି ଲାଗି ରାଜ୍ୟ ସଭାପତି ଚୟନ ଟେନସନ ବନିଥିବାବେଳେ କଂଗ୍ରେସ ଜିଲ୍ଲା ସଭାପତିରେ ଝୁଣ୍ଟୁଛି । ବିଜେଡି ୯ ଜିଲ୍ଲା ସଭାପତିଙ୍କ ନାଁ ଝୁଲାଇ ରଖିଛି । ଆଗକୁ ପଞ୍ଚାୟତ ନିର୍ବାଚନ । ଯଦି ସଙ୍ଗଠନ ଅଧା ଗଢା ରହିଲା, ତେବେ ରଣନୀତି କିପରି ଶକ୍ତିଶାଳୀ ହେବ ତାହା ନେତାଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।