ଅଦିନିଆ କାଳବୈଶାଖୀ ବର୍ଷା ଆଣିଲା ଚାଷୀଙ୍କ ପାଇଁ ଦୁଃଖ

ନନ୍ଦିଘୋଷ ବ୍ୟୁରୋ: ଅଦିନିଆ କାଳବୈଶାଖୀ ବର୍ଷା ଆଣି ଦେଲା ଚାଷୀଙ୍କ ପାଇଁ ଦୁଃଖ । କେଉଁଠି ବିଲରେ ପଡି ଧାନ ଗଜା ହୋଇ ଗଲାଣି ତ କେଉଁଠି ଧାନ ଖରୀ ରେ ଗଜା ହେବାକୁ ବସିଲାଣି । ଅଦିନିଆ ବର୍ଷା ରେ ଓଦା ଧାନକୁ ନେଇ ଚିନ୍ତାରେ କଣ୍ଟାମାଲର ଚାଷୀ ।
ଧାନ କ୍ଷେତରେ ଜମି ରହିଛି ପାଣି । କେଣ୍ଡାରେ ଗଜା ହୋଇଗଲାଣି ଧାନ। ଚାଷୀ ଉପରେ ଦାଉ ସାଧୁଛି କାଳବୈଶାଖୀ ବର୍ଷା । ଅଦିନିଆ କାଳ ବୈଶାଖୀ ବର୍ଷାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ନଷ୍ଟ ହେବାକୁ ବସିଛି ରବି ଧାନ ଫସଲ । ପବନ ମାଡ଼ରେ ଜମିରେ ଧାନ ଗଛ ଲୋଟିପଡ଼ିଥିବା ବେଳେ ପାଚିଲା ଧାନ ଝଡ଼ିପଡୁଥିବା ବେଳେ ଅଦିନିଆ ବର୍ଷାରେ ଭିଜି ଧାନ ଗଜାହୋଇଗଲାଣି । ଅମଳ ସମୟ ହୋଇଥିବାରୁ ଓଦା ଧାନକୁ ସାଉଁଟି ଆଣି ରାସ୍ତାରେ ଶୁଖାଉଥିବା ଦେଖିବାକୁ ମିଳିଛି । ଚଳିତ ରବି ଧାନ ଫସଲ ଭଲ ହୋଇଥିବା ବେଳେ ଅମଳ ସମୟରେ କାଳବୈଶାଖୀ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାକୁ ଦେଖି ଚିନ୍ତାରେ ଚାଷୀ ।
ଋଣ କରି ଚାଷ କରିଥିବା ବେଳେ ଧାନ ଫସଲ ନଷ୍ଟ ନେଇ ଏବେ ଚାଷୀଙ୍କୁ ଚିନ୍ତା ଘାରିଛି । ଏବେ ମାନ ନିର୍ଦ୍ଧାରଣ କରି ଧାନ କିଣୁଛନ୍ତି ସରକାର । ମଣ୍ଡିରେ ଭିଜିଯାଇଥିବା ଧାନର କ୍ୱାଲିଟି କମ ରହିବା ସମ୍ଭାବନା ଦେଖାଦେଇଛି । ମଣ୍ଡିରେ ଧାନ କିପରି ବିକିବେ ତାହା ଏବେ ଚିନ୍ତାର କାରଣ ପାଲଟିଛି । ଅମଳ ଓଦା ଧାନକୁ ରାସ୍ତାରେ ଶୁଖାଇ ବିକ୍ରି କରିବାର ଆଶା ବାନ୍ଧିଛନ୍ତି ଚାଷୀ । ସେହିପରି କ୍ଷୟକ୍ଷତିକୁ ଆକଳନ କରି ସରକାର ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ । ଚାଷୀଙ୍କ ସରକାର ବୋଲି ବାହାବା ନେଉଥିବା ସରକାର ତୁରନ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବାକୁ ଚାଷୀ ଦାବି କରିଛନ୍ତି ।