ରଙ୍ଗ ବଦଳାରେ ବ୍ୟସ୍ତ ସରକାର! : ଲୋକେ ପାଉନାହାନ୍ତି ସ୍ବାସ୍ଥ୍ଯସେବା

ନନ୍ଦିଘୋଷ ବ୍ୟୁରୋ: ଭିତ୍ତିଭୂମି ଅଛି ହେଲେ ଲୋକେ ପାଉନାହାନ୍ତି ସ୍ବାସ୍ଥ୍ଯସେବା। ବର୍ଷେ ତଳୁ ଟ୍ରମା କେୟାର ସେଣ୍ଟର ତିଆରି ହୋଇଛି ହେଲେ ସ୍ବାସ୍ଥ୍ଯ ବିଭାଗର ଅବହେଳା ଯୋଗୁ କାର୍ଯକ୍ଷମ ହୋଇପାରୁନି ୨୦୦ ଶଯ୍ଯା ବିଶିଷ୍ଟ ଏହି ହସ୍ପିଟାଲ। ଯାଜପୁର ପାଣିକୋଇଲିରେ ଥିବା ହସ୍ପିଟାଲର ଟ୍ରମା କେୟାର ସୁବିଧା ନଥିବାରୁ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କ ଜୀବନ ବିପଦରେ ପଡ଼ୁଛି। କାହିଁକି ଲୋକଙ୍କୁ ମିଳୁନି ସୁବିଧା? ଶାସକ ଦଳ ବିଧାୟକଙ୍କ କହିବା କଥା ଏ ନେଇ ସ୍ବାସ୍ଥ୍ଯ ବିଭାଗ ସହିତ କରାଯିବା ଆଲୋଚନା।
ଫି ଦିନ ଘଟୁଛି ଦୁର୍ଘଟଣା। ଯାଉଛି ଲୋକଙ୍କ ଜୀବନ। ମରଣଯନ୍ତା ପାଲଟିଛି ଯାଜପୁର ପାଇକୋଇଲି ଜାତୀୟ ରାଜପଥ। ବର୍ଷେ ତଳୁ ନିର୍ମାଣ ସରିଛି ଟ୍ରମା କେୟାର ହସ୍ପିଟାଲ। ହେଲେ ଉଦଘାଟନ ହୋଇନଥିବାରୁ ରୋଗୀ ପାଉନାହାନ୍ତି ସ୍ବାସ୍ଥ୍ଯସେବା। ଆଉ ସବୁଜାଣି ଚୁପ ବସିଛି ସ୍ବାସ୍ଥ୍ଯ ବିଭାଗ। ରାଜପଥରେ ଦୁର୍ଘଟଣା ଶିକାର ହୋଇଥିବା ଲୋକେ ସଠିକ ସମୟରେ ଚିକିତ୍ସା ନ ପାଇ ପ୍ରାଣ ହରାଉଛନ୍ତି। ହେଲେ ନା ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁଛି ନା ସରକାରଙ୍କର। ଏହି ହସ୍ପିଟାଲଟି ପୂର୍ବ ନବୀନ ସରକାରଙ୍କ ସମୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ମାଣ ସରିଛି। ହେଲେ କଣ ପାଇଁ ଉଦଘାଟନ କରୁନାହାନ୍ତି ଏବର ବିଜେପି ସରକାର ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ରଙ୍ଗ ବଦଳା ଓ ଯୋଜନାର ନାମ ବଦଳାରେ ବ୍ଯସ୍ତ ରାଜ୍ଯ ସରକାର। ଆଉ ଦିନ କେଇଟା ପରେ ଡବଲ ଇଞ୍ଜିନ ସରକାରଙ୍କୁ ବର୍ଷେ ପୂରିବ। ଏପରିକି ଟ୍ରମା କେୟାର ସେଣ୍ଟରକୁ ଉଦଘାଟନ ନ କରି ଲୋକଙ୍କ ଜୀବନକୁ ବିପନ୍ନ କରୁଛନ୍ତି ଅଥଚ ହସ୍ପିଟାଲ କୋଠାର ରଙ୍ଗ ବଦଳାଇବାକୁ ଭୁଲିନାହାନ୍ତି। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାନଗଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। ସେପଟେ ଶାସକଦଳର ବିଧାୟକଙ୍କ ସଫେଇ ଏ ନେଇ ସେ ସ୍ବାସ୍ଥ୍ଯ ବିଭାଗ ସହ ଆଲୋଚନା କରିବେ। ଟ୍ରମା କେୟାର ହସ୍ପିଟାଲ କାର୍ଯ୍ଯକ୍ଷମ ହେଲେ ଯାଜପୁର, କେନ୍ଦୁଝର ଓ ଭଦ୍ରକ ଆଦି ଜିଲ୍ଲାର ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସଞ୍ଜୀବନୀ ପାଲଟିବ।